ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭି କେ ପାଣ୍ଡିଆନ ଏବଂ ବରିଷ୍ଠ ଆଇପିଏସ୍ ଅଧିକାରୀ ରବିକାନ୍ତଙ୍କ ୨୦୨୨-୨୩ ଓ ୨୦୨୩-୨୪ର ବିଦେଶ ଗସ୍ତ ଖର୍ଚ୍ଚ ସମ୍ପର୍କରେ ତଦନ୍ତ ହେବ। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଏହାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ପାଣ୍ଡିଆନ ଓ ଆଇପିଏସ୍ ଅଧିକାରୀ ରବିକାନ୍ତ ୨୦୨୨-୨୩ ଏବଂ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ବିଭିନ୍ନ ଆର୍ଟିଆଇ ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଗସ୍ତ ସମ୍ପର୍କିତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୁପ୍ତ ରଖାଯାଇଛି, ତେଣୁ ତଥ୍ୟଗୁଡ଼ିକର ତାଳମେଳ ରହୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହିସବୁ ଅଭିଯୋଗ ଦୃଷ୍ଟିରୁ ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
