BRICS ଶିଖର ସମ୍ମିଳନୀରେ ଯୋଗ ଦେବେ ଚୀନ୍ ରାଷ୍ଟ୍ରପତି

୭ ବର୍ଷ ପରେ ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ

୭ ବର୍ଷ ପରେ ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ । ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନାର ସମ୍ଭାବନା ରହିଛି। ୧୨ ଓ ୧୩ ରେ ନୂଆଦିଲ୍ଲୀରେ ହେଉଥିବା ୧୮ତମ BRICS ଶିଖର ସମ୍ମିଳନୀ ଅବସରରେ ଦୁଇ ନେତା ପରସ୍ପରକୁ ଭେଟିବେ। ୨୦୨୦ର ଗଲୱାନ ସଂଘର୍ଷ ପରେ ଭାରତ ମାଟିରେ ଏହା ମୋଦି ଓ ଜିନପିଙ୍ଗଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ।୨୦୨୦ ଜୁନ୍ ୧୫ରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ। ଏଥିରେ କର୍ଣ୍ଣେଲ୍ ବି. ସନ୍ତୋଷ ବାବୁଙ୍କ ସମେତ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଦୁଇ ଦେଶ ଭାରତ-ଚୀନ ସମ୍ପର୍କ ଦଶନ୍ଧିର ସବୁଠାରୁ ଖରାପ ସ୍ତରକୁ ଖସିଯାଇଥିଲା। ସୀମାରେ ବିପୁଳ ସେନା ମୁତୟନ ସହ ଦୁଇ ପକ୍ଷ ମଧ୍ୟରେ ଅବିଶ୍ୱାସ ବଢ଼ିଥିଲା।ତେଣୁ ଦିଲ୍ଲୀର ମୋଦି-ଜିନପିଙ୍ଗ ଭେଟକୁ କେବଳ ଏକ ଔପଚାରିକ ବୈଠକ ଭାବେ ଦେଖାଯାଉନାହିଁ। ୨୦୨୪ରେ ସୀମାରେ ପାଟ୍ରୋଲିଂ ଓ ସେନା ପ୍ରତ୍ୟାହାରକୁ ନେଇ ହୋଇଥିବା ବୁଝାମଣା ପରେ ସମ୍ପର୍କରେ ଧୀରେ ଧୀରେ ସୁଧୁରିଛି। ଭାରତ ସ୍ପଷ୍ଟ କରିଆସିଛି, LACରେ ଶାନ୍ତି ଓ ସ୍ଥିରତା ନ ଫେରିଲେ ଦ୍ୱିପାକ୍ଷିକ ସମ୍ପର୍କ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରିବ ନାହିଁ। ସେଥିପାଇଁ ସୀମା ବିବାଦ ଓ ଉତ୍ତେଜନା ହ୍ରାସ ମୋଦି–ଜିନପିଙ୍ଗ ଆଲୋଚନାର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *