ଶନିବାର ବଡ ନିଷ୍ପତ୍ତି ନେବେ ସରକାର!

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ଅଡ଼ିଲା ସିଜେପି

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରୁ ପଛକୁ ହଟିବ ନାହିଁ ବୋଲି ସ୍ପଷ୍ଟ କରିଛି ସିଜେପି (CJP)। କେନ୍ଦ୍ର ସରକାର ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପରେ ଦଳ କହିଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ହିଁ ସେମାନଙ୍କର ମୁଖ୍ୟ ଓ ଅପରିବର୍ତ୍ତନୀୟ ଦାବି।

ଶୁକ୍ରବାର ସମ୍ବିଧାନ କ୍ଲବ୍‌ରେ ପ୍ରାୟ ୨ ଘଣ୍ଟା ଧରି ହୋଇଥିବା ବୈଠକରେ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଓ ପିଏମ୍‌ଓର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଯୋଗଦେଇଥିଲେ। ସିଜେପି ପକ୍ଷରୁ ଜାତୀୟ ମୁଖପାତ୍ର ସୌରଭ ଦାସ ଓ ଆଶୁତୋଷ ରଙ୍କା ଆଲୋଚନାରେ ସାମିଲ ହୋଇଥିଲେ।ବୈଠକ ପରେ ଜେ.ପି. ନଡ୍ଡା କହିଛନ୍ତି, ସିଜେପି ୩ଟି ମୁଖ୍ୟ ଦାବି ଏବଂ ପରୀକ୍ଷା ବ୍ୟବସ୍ଥାର ସଂସ୍କାର ପାଇଁ ୫ଟି ପ୍ରସ୍ତାବ ରଖିଛି। ସରକାର ଏହା ଉପରେ ଆଲୋଚନା କରି ଶନିବାର ଅପରାହ୍ନରେ ପୁଣିଥରେ ସେମାନଙ୍କୁ ଜବାବ ଦେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ସିଜେପି ଦାବି କରିଛି ଯେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା କିମ୍ବା ବହିଷ୍କାର ବିନା ଆନ୍ଦୋଳନର ସମାଧାନ ସମ୍ଭବ ନୁହେଁ। ଏହି ଦାବି ଉପରେ ସରକାର ଶନିବାର ପର୍ଯ୍ୟନ୍ତ ସମୟ ମାଗିଥିବା ବୋଲି ଦଳ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *