ଜୟନାରାୟଣ ମିଶ୍ରଙ୍କ ତଡ଼ାଖିଆ ଉପାଖ୍ୟାନ ପରେ ବଢିଲା ବୟାନବାଜି
ଜୟନାରାୟଣ ମିଶ୍ରଙ୍କ ତଡ଼ାଖିଆ ଉପାଖ୍ୟାନ ପରେ ବଢିଲା ବୟାନବାଜି । ଏହି ମୌକାରେ ବିଜେଡି କହିଛି, କେଉଁଠି ଗୋଷ୍ଠୀ କନ୍ଦଳ ତୀବ୍ର ତାହା ଜଣା ପଡିଲାଣି । ଏବେ ସେଠି ନିଆଁ ଲାଗିସାରିଲାଣି । କିନ୍ତୁ ବିଜେପିର ଯୁକ୍ତି ଜୟ ନାରାୟଣଙ୍କ କଥାକୁ କଦର୍ଥ କରୁଛି ବିଜେଡି । ବିଜେପି ନୁହଁ ବିଜେଡି ସଫା ହୋଇଯିବ । ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ନିଜକୁ ତଡ଼ାଖିଆ ଓ ସାଇଡ୍ ଲାଇନ୍ ନେତା କହିବା ସହ ତାଙ୍କ ପଛରେ ଜଣେ ଲୋକକୁ ପାର୍ଟି ସବୁବେଳେ ଲଗାଉଥିବା ଖୋଲା ମଞ୍ଚରେ ଭାଷଣ ରଖିଥିଲେ । ସେପଟେ କିନ୍ତୁ ଜୟନାରାୟଣଙ୍କ କଥାର ଅର୍ଥ ତାହା ନଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ସେପଟେ ଜୟନାରାୟଣଙ୍କ ବୟାନ ପରେ ବିଜେଡିକୁ କାଉଣ୍ଟର ଆଟାକ୍ ଲାଗି ସୁଯୋଗ ମିଳିଯାଇଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ନାଁ ନନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ଗୋଷ୍ଠୀ କନ୍ଦଳ ଆମ ଦଳରେ ଥିବା କହୁଥିଲେ କିନ୍ତୁ ପ୍ରକୃତରେ ଗୋଷ୍ଠୀ କନ୍ଦଳ କେଉଁଠି ତାହା ଗତକାଲି ସ୍ପଷ୍ଟ ହୋଇଛି । ତାଙ୍କ ଦଳରେ ନିଆଁ ଲାଗି ସାରିଲାଣି । ବରିଷ୍ଠ ବିଧାୟକଙ୍କ ବୟାନ ତାର ପ୍ରମାଣ ।ସେପଟେ ପ୍ରସନ୍ନଙ୍କୁ ଜବାବ ଦେଇ ବିଜେପି କହିଛି, ଜୟନାରାୟଣଙ୍କ କଥାକୁ ଭୁଲ୍ ଉପସ୍ଥାପନା କରୁଛି ବିଜେଡି । ନିଆଁ ଆମ ଦଳରେ ନୁହେଁ ବିଜେଡିରେ ଲାଗିଛି । ଅନ୍ୟପଟେ ବିଜେଡି-ବିଜେପି ବୟାନବାଜି ଭିତରେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଗୋଷ୍ଠୀ କନ୍ଦଳ ସବୁ ରାଜନୈତିକ ଦଳରେ ରହିଛି । କିନ୍ତୁ ମୋଦି ଓ ଶାହ ଭୁବନେଶ୍ୱରରେ ଥିବା ସମୟରେ ଜୟନାରାୟଣ କାହିଁକି ଏଭଳି ବିବୃତି ରଖିଲେ ତା ବଡ ପ୍ରଶ୍ନ ଓ ରାଜ୍ୟ ସଂଗଠନ ପାଇଁ ଚିନ୍ତାଜନକ କଥା ।
