ସେପ୍ଟେମ୍ବର ୨୮ରୁ ବ୍ୟାଙ୍କ ଧର୍ମଘଟ
ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ଲଗାତାର ୫ ଦିନ ଧରି ଅନେକ ବ୍ୟାଙ୍କିଂ ସେବା ପ୍ରଭାବିତ ହୋଇପାରେ। ସପ୍ତାହାନ୍ତ ପରେ ବ୍ୟାଙ୍କ ୟୁନିୟନଗୁଡ଼ିକ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛନ୍ତି। ପ୍ରାୟ ୯୦ ପ୍ରତିଶତ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରତିନିଧିତ୍ୱ କରୁଥିବା ୭ଟି ୟୁନିୟନର ମିଳିତ ସଂଗଠନ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ଏହି ଧର୍ମଘଟ ଡାକରା ଦେଇଛି।
ବ୍ୟାଙ୍କ ୟୁନିୟନଗୁଡ଼ିକ ତୁରନ୍ତ ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବାକୁ ଦାବି କରିଛନ୍ତି। ୨୦୨୪ର ଦରମା ଚୁକ୍ତି ପରଠାରୁ ଏହି ପ୍ରସ୍ତାବ ବିଚାରାଧୀନ ରହିଛି। ଏହା ସହିତ ପରଫର୍ମାନ୍ସ-ଲିଙ୍କ୍ଡ ଇନସେଣ୍ଟିଭ୍ରେ ପରିବର୍ତ୍ତନ ଦାବି କରାଯାଇଛି। ୟୁନିୟନଗୁଡ଼ିକର ଅଭିଯୋଗ ଅନୁସାରେ, ଏଥିରେ ଏକତରଫା ଓ ପକ୍ଷପାତିତା ଭାବେ ସଂଶୋଧନ କରାଯାଇଛି।ଅନ୍ୟ ଦାବିଗୁଡ଼ିକ ମଧ୍ୟରେ ଭଲ ପେନସନ୍, ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ସମାନ ମହଙ୍ଗା ଭତ୍ତା ଫର୍ମୁଲା, ନ୍ୟାସନାଲ ପେନସନ୍ ସିଷ୍ଟମ୍ (NPS) ବଦଳରେ ପୁରୁଣା ପେନସନ୍ ସ୍କିମ୍ (OPS) ପୁନଃ ଲାଗୁ କରିବା ଏବଂ ବକେୟା ସେବା ଓ ଦରମା ସମ୍ପର୍କିତ ପ୍ରସଙ୍ଗର ସମାଧାନ ଅନ୍ତର୍ଭୁକ୍ତ ରହିଛି।
ଏହି ଘଟଣାକ୍ରମ ମଧ୍ୟରେ ସୋମବାର କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀମାନଙ୍କୁ ପ୍ରସ୍ତାବିତ ଧର୍ମଘଟ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଆଲୋଚନା ଓ କର୍ମଚାରୀ କଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ଅଧିକାଂଶ ଦାବିର ସମାଧାନ ହୋଇସାରିଛି ବୋଲି କେନ୍ଦ୍ର କହିଛି।ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ଧର୍ମଘଟ ବ୍ୟାଙ୍କିଂ କାର୍ଯ୍ୟକୁ ପ୍ରଭାବିତ କରିପାରେ ବୋଲି କେନ୍ଦ୍ର ସତର୍କ କରିଛି। କାରଣ ଏହି ସମୟରେ ଅର୍ଦ୍ଧବାର୍ଷିକ ଆକାଉଣ୍ଟ କ୍ଲୋଜିଂ ପ୍ରକ୍ରିୟା ମଧ୍ୟ ଚାଲିଥାଏ। ସେପ୍ଟେମ୍ବର ୨୮ହେଉଛି ସୋମବାର ।
