ଯନ୍ତ୍ରୀଙ୍କ ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ ଠାବ

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

କୋଟପାଡ଼ AEEଙ୍କ ଘରେ ଭିଜିଲାନ୍ସ ରେଡ୍ । ଜବତ ହେଲା ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ୍! । ରାଜ୍ୟରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ସତ୍ୟନାରାୟଣ ସେଠୀଙ୍କ ନାମରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଏହି ସର୍ଚ୍ଚ ଅପରେସନ୍ ବେଳେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ଜଟଣୀରେ ବିଳାସପୂର୍ଣ୍ଣ ଫ୍ଲାଟ୍: ଖୋର୍ଦ୍ଧା ଜିଲ୍ଲା ଜଟଣୀର ମଢ଼ିପୁର ମୌଜାସ୍ଥିତ ହାଇଟେକ୍ ପ୍ଲାଜାର ୧୦୦୦ ବର୍ଗଫୁଟ୍ ବିଶିଷ୍ଟ ଏକ 2-BHK ଫ୍ଲାଟ୍ ଠାବ କରାଯାଇଛି ।କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ୧୦.୦୩ ଏକର ଜମିରେ ବ୍ୟାପିଥିବା ଏକ ଫାର୍ମହାଉସ୍, ଯେଉଁଠାରେ ଆମ୍ବ ଓ ୟୁକାଲିପଟାସ୍ ବଗିଚା ରହିଛି ।

ସେହି ସମାନ ମୌଜାରେ ଆଉ ଏକ ୪.୩୫ ଏକର ଜମିରେ ବିସ୍ତୃତ ଫାର୍ମହାଉସ୍ ରହିଛି । କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଏବଂ ପଟ୍ଟାଙ୍ଗୀ ତହସିଲ ଅଧୀନରେ ଥିବା ୩୨ଟି ଦାମୀ ଜମିର ପଟ୍ଟା ମିଳିଛି । ଭିଜିଲାନ୍ସର ବୈଷୟିକ ଟିମ୍ ଦ୍ୱାରା ଏହି ସମସ୍ତ ଫ୍ଲାଟ୍, ଫାର୍ମହାଉସ୍ ଏବଂ ପ୍ଲଟ୍ ଗୁଡ଼ିକର ମାପଚୁପ ଏବଂ ସରକାରୀ ମୂଲ୍ୟ ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି । ଚଢ଼ାଉ ସମୟରେ ୫,୪୮,୦୦୦ ଟଙ୍କା ନଗଦ ଏବଂ ୩୦୦ ଗ୍ରାମର ସୁନା ଗହଣା ଜବତ କରାଯାଇଛି । ଏହା ବ୍ୟତୀତ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରେ କରାଯାଇଥିବା ପୁଞ୍ଜିନିବେଶର ଯାଞ୍ଚ ଚାଲିଛି । ବର୍ତ୍ତମାନ ସୁଦ୍ଧା ସେର୍ଚ୍ଚ ଅପରେସନ୍ ଶେଷ ହୋଇନଥିବାରୁ ଆଗକୁ ଆହୁରି ଅଧିକ ସମ୍ପତ୍ତି ମିଳିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *