ବାତ୍ୟା ଆଶଙ୍କା ଭିତରେ ବର୍ଷା ଭୟ, ପୁଣି ଭିଜିବ ଦକ୍ଷିଣ ଓଡ଼ିଶା

୪ ଦିନ ପ୍ରବଳ ବର୍ଷିବ

ପୁଣି ଦକ୍ଷିଣ ଓଡ଼ିଶାରେ ବଡ଼ ବର୍ଷା ଆଶଙ୍କା । ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୧୯ ଓ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ ଏଭଳି ପୂର୍ବାନୁମାନ କରାଯାଇଛି ।ଗଞ୍ଜାମ, ଗଜପତି ସମେତ ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲାରେ ୧୨ରୁ ୨୦ ସେମି ବର୍ଷା ସମ୍ଭାବନା ରହିଛି । ଘଣ୍ଟାପ୍ରତି ୪୦ରୁ ୬୦ କିମି ବେଗରେ ବହିପାରେ ଝଟକା ପବନ । ପାଣିପାଗ ବିଭାଗର ଆକଳନ ଅନୁସାରେ, ୧୮ ତାରିଖରୁ ରାଜ୍ୟର ଉପକୂଳ ଓ ଦକ୍ଷିଣାଞ୍ଚଳରେ ବର୍ଷାର ପ୍ରଭାବ ଆରମ୍ଭ ହୋଇପାରେ । ଏହାପରେ ୧୯ ଓ ୨୦ ତାରିଖରେ ବର୍ଷାର ପରିମାଣ ଓ ବିସ୍ତାର ବଢ଼ିବା ସମ୍ଭାବନା ରହିଛି । ୧୮ ତାରିଖ ସକାଳ ସାଢ଼େ ୮ଟାରୁ ୧୯ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । କେତେକ ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *