ବଢ଼ିଲା ରାହୁଲଙ୍କ ଅଡ଼ୁଆ

ରାହୁଲଙ୍କ ବିରୋଧରେ FIR ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବଢ଼ିଲା ରାହୁଲଙ୍କ ଅଡ଼ୁଆ! ।  ​ରାହୁଲ ଗାନ୍ଧୀଙ୍କ ବିରୋଧରେ FIR ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ।  ​ବ୍ରିଟିଶ ନାଗରିକତା ରଖିଥିବା ଅଭିଯୋଗରେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ଆଲାହାବାଦ ହାଇକୋର୍ଟ ।  ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ରାହୁଲଙ୍କ ବିରୋଧରେ ଏଫ୍ ଆଇଆର୍ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀ, କର୍ଣ୍ଣାଟକ ବିଜେପି କର୍ମୀ ଏସ୍. ବିଘ୍ନେଶ ଶିଶିରଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାହୁଲଙ୍କ ସଂସଦୀୟ କ୍ଷେତ୍ର ରାୟବରେଲିର କୋତୱାଲି ଥାନାରେ ଏହି ମାମଲା ରୁଜୁ କରିବାକୁ କୋର୍ଟ କହିଛନ୍ତି ।  ଏହି ଘଟଣାର ତଦନ୍ତ ରାଜ୍ୟ ସରକାର ନିଜେ କରିପାରିବେ କିମ୍ବା କେନ୍ଦ୍ର ସରକାର ଅଥବା CBI କୁ ହସ୍ତାନ୍ତର କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।  ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପାଖରେ ଭାରତୀୟ ନାଗରିକତା ସହ ବ୍ରିଟିଶ ନାଗରିକତା ମଧ୍ୟ ରହିଛି ।  ଭାରତୀୟ ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ଏକାସାଙ୍ଗରେ ଦୁଇଟି ଦେଶର ନାଗରିକ ହୋଇ ରହିପାରିବେ ନାହିଁ ।  ଯଦି ଏହା ସତ ପ୍ରମାଣିତ ହୁଏ, ତେବେ ରାହୁଲ ଗାନ୍ଧୀ ସାଂସଦ ପଦ ପାଇଁ ଅଯୋଗ୍ୟ ହୋଇପାରନ୍ତି । ​

୨୦୦୩ ମସିହାରେ ବ୍ରିଟେନର ଏକ କମ୍ପାନୀରେ ଡିରେକ୍ଟର ଥିବାବେଳେ ରାହୁଲ ନିଜକୁ ‘ବ୍ରିଟିଶ ନାଗରିକ’ ବୋଲି ଦର୍ଶାଇଥିଲେ । ​ ସେ ବ୍ରିଟେନର ନିର୍ବାଚନରେ ମଧ୍ୟ ଭୋଟ୍ ଦେଇଥିବା ଦାବି କରାଯାଇଛି । ​ ୨୦୧୯ରେ ଗୃହ ମନ୍ତ୍ରଣାଳୟ ମଧ୍ୟ ଏହି ବିଷୟରେ ତାଙ୍କୁ ନୋଟିସ୍ ଦେଇଥିଲା ।  କୋର୍ଟ କହିଛନ୍ତି, ଏବେ କେବଳ ତଦନ୍ତ ପାଇଁ FIR ନିର୍ଦ୍ଦେଶ ଦିଆଯାଇଛି ।  ଅଭିଯୋଗ ସତ କି ମିଛ ସେ ନେଇ କୋର୍ଟ କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି ।  ଖୁବଶୀଘ୍ର ରାୟବରେଲି ପୋଲିସ ମାମଲା ରୁଜୁ କରି କାଗଜପତ୍ରର ଯାଞ୍ଚ କରିବ ।  ଏହି ଘଟଣାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *