ଦିଲ୍ଲୀ ପରେ ମେରଟ ଅବସ୍ଥା ସାଙ୍ଘାତିକ
ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ନଡ଼ା ଜଳାଇବା ଏବଂ ବାଣ ଫୁଟାଇବା ଯୋଗୁଁ ବାୟୁମଣ୍ଡଳରେ ଧୂଆଁର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ପ୍ରଭାବ ବାୟୁର ମାନ ଉପରେ ପଡ଼ୁଛି । ଗୁରୁବାର ଉତ୍ତରପ୍ରଦେଶର ମେରଟ ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ରେକର୍ଡ ହୋଇଛି । ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୯୮୭ ରହିଛି ।ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶର ହାପୁଡ଼ (୮୭୭), ତୃତୀୟ ସ୍ଥାନରେ ହରିୟାଣାର ପାଣିପତ (୮୪୨), ଚତୁର୍ଥ ସ୍ଥାନରେ ମୁଜାଫରନଗର (୭୮୬) ଏବଂ ପଞ୍ଚମ ସ୍ଥାନରେ ସୋନିପତ (୭୮୧) ରହିଛି । ଏହି ତାଲିକାର ଷଷ୍ଠ ସ୍ଥାନରେ ହରିୟାଣାର ରୋହତକ (୭୪୦), ସପ୍ତମ ସ୍ଥାନରେ କୈଥଲ (୭୦୨), ଅଷ୍ଟମ ସ୍ଥାନରେ ଉତ୍ତରପ୍ରଦେଶର ଗାଜିଆବାଦ (୭୦୦), ନବମ ସ୍ଥାନରେ କରନାଲ (୬୯୯) ଏବଂ ଦଶମ ସ୍ଥାନରେ ଫରିଦାବାଦ (୬୬୩) ରହିଛି ।ରାଜଧାନୀ ଦିଲ୍ଲୀ ଏବଂ ନୋଏଡାରେ ମଧ୍ୟ ବାୟୁ ପ୍ରଦୂଷଣର ସ୍ଥିତି ଗମ୍ଭୀର ରହିଛି । ଗୁରୁବାର ଦିଲ୍ଲୀର AQI ୫୫୪ ଥିବାବେଳେ ନୋଏଡାରେ ଏହା ୬୩୭ ରେକର୍ଡ ହୋଇଛି । ପ୍ରଦୂଷଣ ଯୋଗୁଁ ଲୋକଙ୍କୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ସହ ଅନ୍ୟାନ୍ୟ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଦୀପାବଳି ପାଖେଇ ଆସୁଥିବାରୁ ଆଗକୁ ବାୟୁ ପ୍ରଦୂଷଣ ସ୍ଥିତି କିପରି ରହିବ, ତାହାକୁ ନେଇ ଚିନ୍ତା ବଢ଼ିଛି ।
