ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ, ଏକ୍ୟୁଆଇ ୪୦୦ ଟପିଲା
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ହୋଇପଡ଼ିଛି। ଶୁକ୍ରବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରିବା ସହ ‘ସାଂଘାତିକ’ ବର୍ଗରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଶୁକ୍ରବାର ସକାଳ ୬ଟା ୫ ମିନିଟ୍ରେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୪୦୩ ରେକର୍ଡ କରାଯାଇଥିଲା। ସକାଳ ୮ଟା ଓ ୯ଟାରେ ମଧ୍ୟ ଏହା ସମାନ ସ୍ତରରେ ରହିଥିଲା। ଘନ ଧୂଆଁ ଓ କୁହୁଡ଼ିର ଆସ୍ତରଣରେ ସମଗ୍ର ରାଜଧାନୀ ଢାଙ୍କି ହୋଇଯାଇଥିବାରୁ ରାସ୍ତାଘାଟରେ ଦୃଶ୍ୟମାନତା ହ୍ରାସ ପାଇଛି।ଦିଲ୍ଲୀ ଆଇଆଇଟି ଅଞ୍ଚଳରେ ସର୍ବାଧିକ ୪୮୮ ଏକ୍ୟୁଆଇ ରେକର୍ଡ ହୋଇଥିବାବେଳେ ଚାନ୍ଦିନୀଚୌକରେ ୪୭୯ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସ୍ରେ ୪୭୮ ରହିଥିଲା। ସେହିପରି ପୁସାରେ ୪୬୮, ବୁରାରି କ୍ରସିଂରେ ୪୫୬, ଆଇଟିଓ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ୪୫୧ ଏକ୍ୟୁଆଇ ରେକର୍ଡ କରାଯାଇଥିଲା।
