ଅବସରପ୍ରାପ୍ତ ଏୟାର ମାର୍ଶାଲ ଙ୍କୁ ରାମ ମନ୍ଦିର ଦାୟିତ୍ଵ
ଅଯୋଧ୍ୟା ରାମ ମନ୍ଦିର ପରିଚାଳନା ଦାୟିତ୍ୱରେ ହେଲା ବଡ଼ ପରିବର୍ତ୍ତନ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ଭାବେ ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି। ୫ ହଜାରରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ ତାଙ୍କ ନାମ ଚୟନ ହୋଇଥିବା ସୂଚନା ମିଳିଛି।ଭାରତୀୟ ବାୟୁସେନାରେ ଦୀର୍ଘ ସମୟ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ ଦାୟିତ୍ୱ ସମ୍ଭାଳିଛନ୍ତି ଜିତେନ୍ଦ୍ର ମିଶ୍ର। ସେ ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନାର ପଶ୍ଚିମ କମାଣ୍ଡର ମୁଖ୍ୟ ମଧ୍ୟ ଥିଲେ।ଟ୍ରଷ୍ଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟ୍ରଷ୍ଟ ଡିଡ୍ରେ ସଂଶୋଧନ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବ। ପ୍ରସ୍ତାବିତ ସଂଶୋଧନରେ CEOଙ୍କ କ୍ଷମତା, ଦାୟିତ୍ୱ ଓ କାର୍ଯ୍ୟ ପରିଚାଳନା ସମ୍ପର୍କରେ ନୂଆ ନିୟମ ପ୍ରସ୍ତୁତ କରାଯିବ।
ନୂଆ CEO ରାମ ମନ୍ଦିର ଟ୍ରଷ୍ଟର ପ୍ରଶାସନିକ, ଆର୍ଥିକ ଓ ଆଇନଗତ କାର୍ଯ୍ୟ ପରିଚାଳନାର ଦାୟିତ୍ୱ ସମ୍ଭାଳିବେ। ସଂଗଠନର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ସହ ଟ୍ରଷ୍ଟର କାର୍ଯ୍ୟରେ ସ୍ୱଚ୍ଛତା ଓ ପେସାଦାର ପରିଚାଳନା ଆଣିବା ମଧ୍ୟ ତାଙ୍କର ପ୍ରମୁଖ ଦାୟିତ୍ୱ ହେବ।ଏହି ବୈଠକରେ ରାମ ମନ୍ଦିରର ସୁରକ୍ଷା ପାଇଁ ସ୍ଥାୟୀ ସ୍ଥାନୀୟ ସୁରକ୍ଷା ସମନ୍ୱୟ କମିଟି ଗଠନ ନେଇ ମଧ୍ୟ ଆଲୋଚନା ହେବ। ଏହାସହ ଟ୍ରଷ୍ଟ ପାଇଁ ଜଣେ ଆଧିକାରିକ ପ୍ରେସ୍ ମୁଖପାତ୍ର ନିଯୁକ୍ତି ପ୍ରସ୍ତାବ ମଧ୍ୟ ଏଜେଣ୍ଡାରେ ରହିଛି।ବିଶେଷ କଥା ହେଉଛି, ମନ୍ଦିର ଦାନରେ ଅନିୟମିତତା ଓ ଚୋରି ଅଭିଯୋଗ ନେଇ ଚାଲିଥିବା SIT ତଦନ୍ତର ସମୀକ୍ଷା ମଧ୍ୟ ବୈଠକରେ କରାଯିବ। ଏହି ବିବାଦ ମଧ୍ୟରେ ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ର ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି।ଏଭଳି ସମୟରେ ପ୍ରଥମ CEO ନିଯୁକ୍ତି ରାମ ମନ୍ଦିର ଟ୍ରଷ୍ଟର ପରିଚାଳନାରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ମନେ କରାଯାଉଛି।
