ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର
ରେଲୱେ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦିୱାଲୀ ପୂର୍ବରୁ ବଡ଼ ଭେଟି ଦେଲେ କେନ୍ଦ୍ର ସରକାର । ରେଲୱେ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍ । ଏନେଇ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବା ବେଳେ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ନିଷ୍ପତ୍ତି ଦ୍ୱାରା ୧୧ ଲକ୍ଷ ୪୦ ହଜାର ୭୭୦ ରେଲୱେ କର୍ମଚାରୀ ଉପକୃତ ହେବେ ।ଦିୱାଲୀ ପୂର୍ବରୁ ରେଲୱେ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଲୱେ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଭିତ୍ତିକ ବୋନସ୍ (Productivity Linked Bonus-PLB) ପ୍ରଦାନକୁ ମଞ୍ଜୁରୀ ମିଳିଛି । ଏଥିପାଇଁ କେନ୍ଦ୍ର ସରକାର ମୋଟ ୨ ହଜାର ୯ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।ଏହି ନିଷ୍ପତ୍ତି ଫଳରେ ଦେଶର ୧୧ ଲକ୍ଷ ୪୦ ହଜାର ୭୭୦ ଜଣ ଯୋଗ୍ୟ ରେଲୱେ କର୍ମଚାରୀ ଉପକୃତ ହେବେ । ବିଶେଷକରି ଅଣଗେଜେଟେଡ୍ ରେଲୱେ କର୍ମଚାରୀଙ୍କୁ ଏହି ବୋନସ୍ ପ୍ରଦାନ କରାଯିବ । ଜଣେ ଯୋଗ୍ୟ କର୍ମଚାରୀ ସର୍ବାଧିକ ୧୭ ହଜାର ୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ୍ ପାଇପାରିବେ ।
ରେଲୱେର ଟ୍ରାକ୍ ମେଣ୍ଟେନର୍, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର, ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ପଏଣ୍ଟସମ୍ୟାନ୍ ଓ ଅନ୍ୟାନ୍ୟ ଯୋଗ୍ୟ ଗ୍ରୁପ୍-ସି କର୍ମଚାରୀ ଏହି ବୋନସ୍ ପାଇବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ରେଲୱେ କର୍ମଚାରୀଙ୍କ ଉତ୍ତମ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କୁ ଆହୁରି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ବୋନସ୍ ଘୋଷଣା କରାଯାଇଛି ।
