ବନ୍ୟା ସ୍ଥିତିକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା
ବନ୍ୟା ସ୍ଥିତିକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା । ଲୋକସେବା ଭବନରେ ବନ୍ୟା ପ୍ରଭାବିତ ଜିଲ୍ଲାର ପରିସ୍ଥିତି ଓ ଉଦ୍ଧାରକାର୍ଯ୍ୟ ସଂପର୍କରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, SRC, ପାଣିପାଗ ବିଜ୍ଞାନ, ଜଳସମ୍ପଦ ବିଭାଗର ଅଧିକାରୀ ସାମିଲ ଥିବା ବେଳେ ଭିସିରେ ଜିଲ୍ଲାପାଳମାନେ ଯୋଡ଼ି ହୋଇଛନ୍ତି।ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ମୁଣ୍ଡଳୀଠାରେ ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢୁଥିବାବେଳେ ରାଜ୍ୟର ଏକାଧିକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଯାଜପୁର, ଭଦ୍ରକ ଓ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛି।ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ, ବୈତରଣୀର ଶାଖା ନଦୀ କାଣି ସମେତ ୩ଟି ନଦୀରେ ମୋଟ ୭ଟି ଘାଇ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ବ୍ରାହ୍ମଣୀ ନଦୀରେ ୪ଟି ଏବଂ କାଣି ନଦୀରେ ୨ଟି ଘାଇ ସୃଷ୍ଟି ହୋଇଥିବାରୁ ଆଖପାଖ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ପୁଣି ବୃଦ୍ଧି ପାଇଛି। ରାଜଘାଟଠାରେ ସାଳନ୍ଦୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ନଦୀବନ୍ଧରେ ପ୍ରାୟ ୩୫ ଫୁଟର ଘାଇ ସୃଷ୍ଟି ହୋଇଛି। ଏହାଛଡ଼ା କାଂଶବାଂଶ ଓ ଗମେଈ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ନଦୀକୂଳିଆ ଅଞ୍ଚଳରେ ସତର୍କତା ଜାରି କରାଯାଇଛି।ପୁରୀ ଜିଲ୍ଲାରେ ଦେବୀ ଓ ଭାର୍ଗବୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ବାଉରିଆକଣଠାରେ ଦେବୀ ନଦୀର ବନ୍ୟାଜଳ ୧୧.୨୫ ଫୁଟ୍ ଉପରେ ପ୍ରବାହିତ ହେଉଥିବାବେଳେ ବଳଙ୍ଗାଠାରେ ଭାର୍ଗବୀ ନଦୀର ବିପଦ ସଙ୍କେତ ୧୦.୪୨ ଫୁଟ୍ ରହିଛି। ଫଳରେ ନଦୀ ଅବବାହିକାରେ ଥିବା ଗ୍ରାମଗୁଡ଼ିକରେ ବନ୍ୟା ଆଶଙ୍କା ବଢ଼ିଛି।ଏପଟେ ମୁଣ୍ଡଳୀଠାରେ ମହାନଦୀର ଜଳସ୍ତର ବଢୁଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥାକୁ ସଜାଗ ରଖାଯାଇଛି। ପ୍ରଶାସନ ଲୋକମାନଙ୍କୁ ନଦୀ ନିକଟକୁ ନଯିବା ଏବଂ ସରକାରୀ ସତର୍କ ସୂଚନା ପାଳନ କରିବାକୁ ଅନୁରୋଧ କରିଛି।
