ପତ୍ନୀ ସହ ଝଗଡା ପରେ ଝିଅକୁ ମାରିଲା ବାପା

ଝିଅକୁ ତଣ୍ଟିଚିପି ହତ୍ୟା କଲା ନୃଶଂସ ବାପା

ଉତ୍ତରପ୍ରଦେଶର କାନପୁରରେ ଘଟିଛି ଛାତି ଥରାଇଦେବା ଭଳି ଘଟଣା । ଝିଅକୁ ହତ୍ୟା କରିଛି ନିଜ ବାପା । ପତ୍ନୀ ସହ ଝଗଡ଼ା କରି ଜଣେ ବ୍ୟକ୍ତି ନିଜ ଜନ୍ମକଲା ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଖପଡ଼ିଶା ଯେତେବେଳେ ଏ ସଂପର୍କରେ ଜାଣିବାକୁ ପାଇଲେ ତ ସେମାନେ ଅଭିଯୁକ୍ତକୁ ଏକ ଗଛରେ ବାନ୍ଧି ଦେଇଛନ୍ତି । ପୁଲିସ୍‌ ପତ୍ନୀଙ୍କ ଅଭିଯୋଗ ପରେ ହତ୍ୟାକାରୀ ବାପାକୁ ଗିରଫ କରିଛି । ଏହି ଘଟଣା ପଶ୍ଚିମ ପାରା ତୁଳସୀପୁର ଗାଁର ଜଣେ ନୀରିହ ଶିଶୁ ନିଜ ବାପାଙ୍କ ରାଗର ଶିକାର ହୋଇ ଜୀବନ ହରାଇଛି । ଜାଣିବାକୁ ମିଳିଛି ‌ଯେ ତୁଳସୀପୁର ଗାଁର ରାଜୀବ ରାଜପୁତ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ। ଗୁରୁବାର ରାତିରେ ରାଜୀବଙ୍କର ନିଜ ପତ୍ନୀ ନେହାଙ୍କ ସହ କୌଣସି କଥାକୁ ନେଇ ମନାନ୍ତର ହୋଇଥିଲା । ଏହି ବିବାଦ ଏତେ ଆଗକୁ ଚାଲିଗଲା ଯେ ନୃଶଂସ ବାପା ନିଜ ଝିଅର ବି ହତ୍ୟା କରିବାକୁ ପଛେଇଲା ନାହିଁ। ସେ ଏକ ଠେଙ୍ଗା ଉଠାଇ ନିଜର ଦେଢ଼ ବର୍ଷର ଝିଅକୁ ବାଡ଼େଇ ବାଡ଼େଇ ଦରମରା କରିବା ପରେ ଶେଷରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ନିଜ ଝିଅକୁ ହତ୍ୟା କରିବା ପରେ ଆସି ଘର ବାହାରେ ବସି ପଡ଼ିଥିଲା । ତାଙ୍କ ଘରପାଖ ଲୋକ ଯେତେବେଳେ ଏ ସଂପର୍କରେ ଜାଣିବାକୁ ପାଇଲେ ତ ସେମାନେ ପୁଲିସ୍‌ରେ ଖବର ଦେବା ସହ ଅଭିଯୁକ୍ତକୁ ଦଉଡ଼ିରେ ବାନ୍ଧି ରଖିଥିଲେ ।