ଭାରତ ମହିଳା ବିଶ୍ବ ଚାମ୍ପିୟନ
ଇତିହାସ ରଚିଲା ଟିମ୍ ଇଣ୍ଡିଆ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ବିଶ୍ୱକପ୍ ଚାମ୍ପିଅନ। ମହିଳା ବିଶ୍ୱକପ-୨୦୨୫ ଜିତିଲା ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ହେଲା ବିଶ୍ୱ ବିଜେତା।ନଭି ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ମହିଳା ଦିନିକିଆ ବିଶ୍ବକପ(ICC Womens World Cup )ର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି । ଭାରତ ପକ୍ଷରୁ ରଖାଯାଇଥିବା ୨୯୯ ରନ ଲକ୍ଷ୍ୟର ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନ କରି ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୌରା ଓଲଭାର୍ଟ ୧୦୧ ରନ କରିଥିବାବେଳେ ଆନରି ଡର୍କସେନ ୩୫ ରନ କରିଥିଲେ । ଭାରତ ପକ୍ଷରୁ ଦିପ୍ତି ଶର୍ମା ୫ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ଓ୍ବିକେଟରେ ୧୦୪ ରନ କରି ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ । ସ୍ମୃତି ୪୫ ରନ କରିଥିବାବେଳେ ଶେଫାଳି ୮୭ ରନ କରିଥିଲେ । ତେବେ ସେମିଫାଇନାଲରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଜେମିମା ଆଜି ମାତ୍ର ୨୪ ରନ କରି ପାଭିଲିୟନ ଫେରିଥିଲେ । ତେବେ ମଧ୍ୟକ୍ରମରେ ଦିପ୍ତି ଶର୍ମା ୫୮ ରନର ଏକ ଭଲ ଇନିଂସ ଖେଳିଥିଲେ । ଅଧିନାୟିକା ହରମନପ୍ରିତ କୌର ୨୦ ରନ ଓ ରିଚା ଘୋଷ ୩୪ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୯୮ ରନ କରିଥିଲା । ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲେ ବି ଓଭର କଟାଯାଇନଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟୋବୋଙ୍ଗା ଖାକା ୩ଟି ଓ୍ବିକେଟ ନେଇଥିଲେ । ସେହିପରି ନନ୍କୁଲୁଲେକୋ ମ୍ଲାବା, ନାଡାଇନ ଡିକ୍ଲର୍କ, ଛ୍ଲୋଏ ଟ୍ରାୟନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
