ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ସାରା ଓଡ଼ିଶା
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ସାରା ଓଡ଼ିଶା । ଗାଁଠୁ ସହର ସବୁଠି ଉତ୍ସାହ ଓ ଉଦ୍ଦୀପନା । ଭୋରୁ ଭୋରୁ ନଦୀ, ପୋଖରୀ ଓ ବିଭିନ୍ନ ଜଳାଶୟରେ ବୋଇତ ଭସାଇଛନ୍ତି ଶ୍ରଦ୍ଧାଳୁ । ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ ଧ୍ୱନିରେ ମୁଖରିତ ହୋଇଛି ପରିବେଶ ।କଦଳୀ ପଟୁକାରେ ତିଆରି ଡଙ୍ଗାରେ ଦୀପ ଜାଳି, ପାନ ଓ ଗୁଆ ରଖି ବୋଇତ ବନ୍ଦାଣ କରିଛନ୍ତି ଓଡ଼ିଆ । ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରେ ଏହି ବୋଇତ ବନ୍ଦାଣ ଉତ୍ସବ। ପ୍ରାଚୀନ କାଳରେ ଓଡ଼ିଆ ସାଧବ ପୁଅମାନେ ବାଣିଜ୍ୟ କରିବା ପାଇଁ ବାଲି, ଜାଭା, ସୁମାତ୍ରା ଭଳି ଦୂରଦେଶକୁ ସମୁଦ୍ରପଥରେ ଯାତ୍ରା କରୁଥିଲେ । ସେମାନଙ୍କ ଗୌରବମୟ ଇତିହାସ ଓ ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ ।ଏପଟେ ପବିତ୍ର କାର୍ତ୍ତିକ ମାସର ଆଜି ଶେଷ ଦିନ । ଦେବଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି । ଧର୍ମ, ଆଧ୍ୟାତ୍ମିକତା, ଐତିହ୍ୟ ଓ ପରମ୍ପରାର ଅପୂର୍ବ ସମନ୍ୱୟ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆ ଜାତିର ସମୃଦ୍ଧ ଅତୀତକୁ ଉଜ୍ଜୀବିତ କରିବା ସହ ପିଢ଼ି ପରେ ପିଢ଼ି ଏହି ମହାନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଓଡ଼ିଆ ।
