ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ
ଗଞ୍ଜାମରେ ପହଞ୍ଚି ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାତ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ଏବଂ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଅଛନ୍ତି।
ପ୍ରଥମେ ପୁରୁଷୋତ୍ତମପୁର ହାଣ୍ଡିଘରକୁ ଯାଇ ଅନୁଧ୍ୟାନ କରୁଛନ୍ତି ମୁଖ୍ୟନ୍ତ୍ରୀ। ଏହାପରେ ଛତ୍ରପୁର ବ୍ଲକ ବଉଳଗାଁରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଜଳମଗ୍ନ ଚାଷଜମିର ସ୍ଥିତି ଅନୁଧ୍ୟାନ କରିବେ ସିଏମ୍। କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ। ପରେ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ କ୍ଷୟକ୍ଷତିର ଆକଳନ, ରିଲିଫ୍ ବଣ୍ଟନ, ଚାଷୀଙ୍କ ଫସଲ କ୍ଷତି ଏବଂ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବେ ସିଏମ ମୋହନ।
