ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ
ହିନ୍ଦୁ ଧର୍ମରୁ ଇସଲାମ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି କେବଳ ଧର୍ମ ପରିବର୍ତ୍ତନ ଆଧାରରେ ପଛୁଆ ବର୍ଗ (ମୁସଲିମ୍) ବର୍ଗରେ ସଂରକ୍ଷଣ ଦାବି କରିପାରିବେ ନାହିଁ। ଗୁରୁବାର ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଧର୍ମ ପରିବର୍ତ୍ତନ କରିବା ମାତ୍ରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ପଛୁଆ ମୁସଲିମ୍ ସମ୍ପ୍ରଦାୟର ସଦସ୍ୟ ହୋଇଯାଆନ୍ତି ନାହିଁ ବୋଲି ଜଷ୍ଟିସ୍ ପିକେ ମିଶ୍ରା ଓ ଚନ୍ଦ୍ରଶେଖରଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରାୟ ଶୁଣାଇଛନ୍ତି।ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶକୁ ନେଇ ଏହି ମାମଲା ଉଠିଥିଲା।
ଉକ୍ତ ନିର୍ଦ୍ଦେଶ ଅନୁଯାୟୀ, ହିନ୍ଦୁ ଧର୍ମରୁ ଇସଲାମ ଧର୍ମକୁ ପରିବର୍ତ୍ତିତ ହୋଇଥିବା କେତେକ ପଛୁଆ ବର୍ଗ, ଅତି ପଛୁଆ ବର୍ଗ ଏବଂ ଅନ୍ୟ ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କୁ ମୁସଲିମ୍ ବର୍ଗରେ ସଂରକ୍ଷଣ ସୁବିଧା ଦେବାର ବ୍ୟବସ୍ଥା ରହିଥିଲା। ମାଡ୍ରାସ ହାଇକୋର୍ଟ ଏହି ନିର୍ଦ୍ଦେଶକୁ ଆଇନ ବିରୋଧୀ ଦର୍ଶାଇ ରଦ୍ଦ କରିଥିଲେ। ପରେ ତାମିଲନାଡୁ ସରକାର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।ସୁପ୍ରିମକୋର୍ଟ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନ କରିବା ମାତ୍ରେ ପୂର୍ବରୁ ଥିବା ଜାତିକୁ ନୂଆ ଧର୍ମର କୌଣସି ନିର୍ଦ୍ଦିଷ୍ଟ ପଛୁଆ ବର୍ଗ ସହ ଯୋଡ଼ା ଯାଇପାରିବ ନାହିଁ। ସଂରକ୍ଷଣ ପାଇବା ପାଇଁ ସମ୍ପୃକ୍ତ ବର୍ଗର ଆଇନଗତ ଯୋଗ୍ୟତା ରହିବା ଆବଶ୍ୟକ।
ତେଣୁ କେବଳ ଧର୍ମ ପରିବର୍ତ୍ତନକୁ ଆଧାର କରି ମୁସଲିମ୍ ବର୍ଗରେ ସଂରକ୍ଷଣ ଦାବି କରାଯାଇପାରିବ ନାହିଁ।ସୁପ୍ରିମକୋର୍ଟ ସମ୍ବିଧାନର ଅନୁସୂଚିତ ଜାତି ଆଦେଶର ତୃତୀୟ ଅନୁଚ୍ଛେଦକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହା ଅନୁଯାୟୀ, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମ ପାଳନ କରୁଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବେ ଗଣନା କରାଯାଇପାରିବ ନାହିଁ। ତେଣୁ ଇସଲାମ କିମ୍ବା ଅନ୍ୟ ନିର୍ଦ୍ଦିଷ୍ଟ ଧର୍ମକୁ ପରିବର୍ତ୍ତିତ ହେବା ପରେ ପୂର୍ବ ଅନୁସୂଚିତ ଜାତି ପରିଚୟ ଆଧାରରେ ସେହି ସଂରକ୍ଷଣ ସୁବିଧା ଦାବି କରିବାର ଆଇନଗତ ଆଧାର ରହେନାହିଁ ବୋଲି କୋର୍ଟ କହିଛନ୍ତି।
