୨୦୩୦ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା

ଶକ୍ତି ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

୨୦୩୦ ମସିହା ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳକୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ବର୍ତ୍ତମାନ ରାଜ୍ୟରେ ୨୧୦ଟି ଗ୍ରୀଡ୍ ସବ୍ ଷ୍ଟେସନ୍ କାର୍ଯ୍ୟକ୍ଷମ ରହିଛି। ଗତ ଦୁଇ ବର୍ଷରେ ୧୫ଟି ନୂଆ ଗ୍ରୀଡ୍ ସବ୍ ଷ୍ଟେସନ୍ ସ୍ଥାପନ ସହ ୭୮୮.୯୯ ସର୍କିଟ୍ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ ବିଛାଯାଇଛି। ଆଗକୁ ବିଦ୍ୟୁତ୍ ଚାହିଦା ଓ ଦ୍ରୁତ ଶିଳ୍ପାୟନକୁ ଦୃଷ୍ଟିରେ ରଖି ୭୬୫ କେଭି ଗ୍ରୀଡ୍ ର ରିଙ୍ଗ୍ ସିଷ୍ଟମ୍ ତିଆରି କରାଯାଉଛି।

ଅନୁଗୋଳ ଓ ସୁନ୍ଦରଗଡ଼ରେ ଏଭଳି ଦୁଇଟି ଗ୍ରୀଡ୍ କାର୍ଯ୍ୟକ୍ଷମ ଥିବାବେଳେ ଗୋପାଳପୁର ଓ ପାରାଦୀପରେ ଦୁଇଟି ନିର୍ମାଣାଧୀନ ରହିଛି। କୋଲାବିରା, ଡୁବୁରି ଓ ଆଠଗଡ଼ ନିକଟ ବେତଖୋଲିରେ ଆଉ ୩ଟି ୭୬୫/୪୦୦ କେଭି ସବ୍ ଷ୍ଟେସନ୍ ପାଇଁ ଯୋଜନା ରହିଛି। ସେହିପରି ଆଗକୁ ଆଉ ୯ଟି ୪୦୦ କେଭି ଗ୍ରୀଡ୍ ସବ୍ ଷ୍ଟେସନ୍ ନିର୍ମାଣ କରାଯିବ। ୨୦୩୦-୩୧ ସୁଦ୍ଧା ରାଜ୍ୟରେ ପ୍ରାୟ ୫୯୦ଟି ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବାର ସମ୍ଭାବନାକୁ ଦେଖି ବିଦ୍ୟୁତ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ଏଥିପାଇଁ ରାଜ୍ୟରେ ପ୍ରାୟ ₹୧୬ ହଜାର କୋଟିର ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଯୋଜନା ରହିଛି।

Leave a Reply

Your email address will not be published. Required fields are marked *