ଜଳିଗଲା ୨ଟି ବାଣିଜ୍ୟିକ ଜାହାଜ, ଜଣେ ଭାରତୀୟ ନାବିକ ମୃତ
ସମୁଦ୍ର ମଝିରେ ଇରାନର କ୍ରୁଜ୍ ମିସାଇଲ୍ ଆଟାକ୍ । ଜଳିଗଲା ୨ଟି ବାଣିଜ୍ୟିକ ଜାହାଜ । UAE ତେଲ ଟାଙ୍କର ଉପରେ ଇରାନର ମିସାଇଲ୍ ମାଡ଼ରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି । ଓମାନର ଆଞ୍ଚଳିକ ଜଳସୀମା ଦେଇ ଯାଉଥିବା ସଂଯୁକ୍ତ ଆରବ ଏମିରେଟ୍ସ ର ଦୁଇଟି ପ୍ରମୁଖ ତେଲ ଟାଙ୍କର ଉପରେ ଇରାନ କ୍ରୁଜ୍ ମିସାଇଲ୍ ମାଡ଼ କରିଛି । ଏହି ଭୟଙ୍କର ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । UAE ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ‘ମୋମ୍ବାସା’ ଏବଂ ‘ଅଲ୍ ବାହିୟା’ ନାମକ ଦୁଇଟି ତେଲ ଟାଙ୍କରକୁ ଲକ୍ଷ୍ୟ କରି ଇରାନ ଦୁଇଟି ଶକ୍ତିଶାଳୀ କ୍ରୁଜ୍ ମିସାଇଲ୍ ମାଡ଼ କରିଥିଲା । ଆକ୍ରମଣ ଯୋଗୁଁ ଦୁଇଟି ଯାକ ଜାହାଜରେ ଭୟାବହ ନିଆଁ ଲାଗିଯାଇଥିଲା, ତେବେ କର୍ମଚାରୀମାନଙ୍କ ଆପ୍ରାଣ ଚେଷ୍ଟା ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଛି । ‘ମୋମ୍ବାସା’ ଜାହାଜରେ କାର୍ଯ୍ୟରତ ଜଣେ ଭାରତୀୟ ସେଲରଙ୍କର ଏହି ଆକ୍ରମଣରେ ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରେ ୬ ଜଣ ଭାରତୀୟ ଏବଂ ୨ ଜଣ ୟୁକ୍ରେନ ନାଗରିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। UAE ଏହାକୁ “ଆନ୍ତର୍ଜାତୀୟ ଆଇନର ଖୋଲାଖୋଲି ଉଲ୍ଲଂଘନ” କହିବା ସହ ଏହାର ଦୃଢ଼ ଜବାବ ଦେବାକୁ ଚେତାବନୀ ଦେଇଛି ।
