ଓଡ଼ିଶାରେ ହାଇ ଆଲର୍ଟ
ଆନ୍ଧ୍ରପ୍ରଦେଶରେ ପୁଣି କାୟା ମେଲାଇଲାଣି କୋଭିଡ । ଆନ୍ଧ୍ରରେ ୨ ମୃତ୍ୟୁ ପରେ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ। ରାଜ୍ୟରେ ସବୁ ସମୟରେ କୋଭିଡ ସତର୍କତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସବୁବେଳେ ଟେଷ୍ଟ ହେଉଛି । ଆନ୍ଧ୍ର ସୀମାନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାର CDMOଙ୍କୁ କୋଭିଡ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଟେଷ୍ଟ କରନ୍ତୁ । ଲକ୍ଷଣ ଦେଖାଗଲେ କୋଭିଡ ନିୟମ ଅନୁସାରେ ଚିକିତ୍ସା ହେବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ମିଶ୍ର ।ଆଗକୁ ରଥଯାତ୍ରା ଭଳି ବଡ଼ ଧାର୍ମିକ ସମାଗମ ଥିବାରୁ ସଂକ୍ରମଣ ରୋକିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ଅଧିକ ସତର୍କ ରହିଛି । ବିଶେଷ କରି ଜ୍ୱର, କାଶ, ଗଳାବ୍ୟଥା କିମ୍ବା ଶ୍ୱାସକଷ୍ଟ ଭଳି କୋଭିଡ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ଚିହ୍ନଟ ହେଲେ ପ୍ରଚଳିତ କୋଭିଡ ନିୟମାବଳୀ ଅନୁସାରେ ଚିକିତ୍ସା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି, ରାଜ୍ୟରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ତଥାପି ପଡ଼ୋଶୀ ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ସୀମାନ୍ତ ଜିଲ୍ଲାଗୁଡ଼ିକରେ ସତର୍କତା ବଢ଼ାଯାଇଛି । କୌଣସି ସନ୍ଦିଗ୍ଧ ମାମଲାକୁ ତୁରନ୍ତ ଚିହ୍ନଟ କରି ପରୀକ୍ଷା ଓ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ।
