ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି
କେନ୍ଦ୍ରାପଡା ଜିଲ୍ଲାର ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ଗିରଫ ଏବଂ ପୋଲିସ ନିର୍ଯାତନା ଘଟଣା ଏବେ ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି । ଚାମେଲି ଓଝାଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରାଯାଇଥିବା ଓ ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ନେଇ ସାମାଜିକ ସଂଗଠନ ‘ଭାରତୀୟ ବିକାଶ’ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ।
ଆବେଦନରେ ଘଟଣାର ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) ଗଠନ ଦାବି କରାଯାଇଛି। ସେହିପରି ରାଜ୍ୟରେ ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ପ୍ରଣୟନ ପାଇଁ ପ୍ରାର୍ଥନା କରାଯାଇଛି । ଚାମେଲି ଓଝାଙ୍କ ଘଟଣା ସମୟର ସିସିଟିଭି ଫୁଟେଜ ସଂରକ୍ଷଣ ଏବଂ ଚାମେଲି ଓଝାଙ୍କ ଚିକିତ୍ସା ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ମଧ୍ୟ ଆବେଦନ କରାଯାଇଛି ।
ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, ପଞ୍ଚାୟତିରାଜ ବିଭାଗ ସଚିବ, ଡିଜିପି, କେନ୍ଦ୍ରାପଡା ଜିଲ୍ଲାପାଳ, ଜିଲ୍ଲା ଏସପି, ମହାକାଳପଡ଼ା ଥାନା ଆଇଆଇସି ଓ ବିଡିଓଙ୍କୁ ପକ୍ଷଭୁକ୍ତ କରାଯାଇଛି।ଚାମେଲି ଓଝାଙ୍କ ଗିରଫ ଓ ହେଫାଜତରେ ନିର୍ଯାତନା ଅଭିଯୋଗକୁ ନେଇ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ମଧ୍ୟ ରିପୋର୍ଟ ତଲବ କରିଛନ୍ତି । ଏପରିସ୍ଥଳେ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଏହାର ଆଇନଗତ ଓ ପ୍ରଶାସନିକ ଗୁରୁତ୍ୱ ବଢ଼ିଯାଇଛି। ଏବେ ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଉପରେ ସମସ୍ତଙ୍କ ନଜର ରହିଛି ।
ଏପଟେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି । କେନ୍ଦ୍ରାପଡ଼ା ମାମଲା ଏବେ ଦେଶରେ ଚର୍ଚ୍ଚା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରୁ ଆରମ୍ଭ ହୋଇଥିବା “ସରପଞ୍ଚ ବନାମ ପ୍ରଶାସନ” ବିବାଦ ଏବେ ଜାତୀୟ ସ୍ତରରେ ପହଞ୍ଚିଛି। ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚମେଲୀ ଓଝା ଜେଲରୁ ଜାମିନରେ ମୁକୁଳିବା ପରେ ନିଜ ଲଢ଼େଇକୁ ଆହୁରି ଜୋରଦାର କରିଛନ୍ତି। ପ୍ରଶାସନିକ ନିର୍ଯାତନା ଏବଂ ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ଆଣି ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁନ୍ ୧୬ରେ ସର୍ତ୍ତମୂଳକ ଜାମିନ ପାଇବା ପରେ ସରପଞ୍ଚ ଚମେଲୀ ଓଝା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବିସ୍ତୃତ ଚିଠି ଲେଖିଛନ୍ତି।
ଏହି ଚିଠିରେ ସେ ସ୍ଥାନୀୟ ବିଧାୟକ ଏବଂ ବ୍ଲକ ପ୍ରଶାସନ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଉପରେ ମାସିକ ଲାଞ୍ଚ ଦେବାକୁ ଚାପ ପକାଯାଉଥିଲା। ତିଖିରୀ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଅଟକାଇବା ସହ ବିଲ୍ ପାସ୍ କରାଯାଉ ନଥିଲା। ମହାକାଳପଡ଼ା ବ୍ଲକ ଅଫିସରେ ହୋଇଥିବା ଗଣ୍ଡଗୋଳ ପରେ ତାଙ୍କୁ ପୋଲିସ ହେପାଜତରେ ଅମାନୁଷିକ ନିର୍ଯାତନା ଓ ମାଡ଼ ମରାଯାଇଥିବା ସେ ଉଲ୍ଲେଖ କରିଛନ୍ତି।
