ଅଧାରେ ଅଟକିଲା ଦକ୍ଷିଣ-ପଶ୍ଚିମ ମୌସୁମୀ
ମୌସୁମୀ ସଙ୍କଟ ଘନୀଭୂତ । ଅଧାରେ ଅଟକିଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ଦେଶରେ ବଢୁଛି ବର୍ଷାର ସାଂଘାତିକ ଅଭାବ। କୃଷି ଓ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ସାମ୍ନାକୁ ଆସିଛି ଚିନ୍ତାଜନକ ଚିତ୍ର। ଭାରତୀୟ ପାଣିପାଗ ବିଭାଗ ର ସଦ୍ୟ ତଥ୍ୟ ଓ ସାଟେଲାଇଟ୍ ଚିତ୍ର ଅନୁସାରେ ମୌସୁମୀ ବାୟୁ ଦେଶର ବଡ଼ ଭାଗରେ ଆଗକୁ ନବଢ଼ି ଅଟକି ରହିଛି। ବିଶେଷ କରି ମଧ୍ୟ, ପଶ୍ଚିମ ଓ ଦକ୍ଷିଣ ଭାରତୀୟ ଅଞ୍ଚଳରେ ଆକାଶ ସମ୍ପୂର୍ଣ୍ଣ ମେଘହୀନ ରହିଛି। ଜୁନ୍ ଆରମ୍ଭରୁ ବର୍ଷାର ବଡ଼ ବ୍ୟବଧାନ ରହିଛି।
ଚଳିତ ବର୍ଷ ଖରିଫ ଚାଷ ବିଳମ୍ବ ହେବା, ମାଟିର ଆଦ୍ରତା କମିବା ଓ ପ୍ରମୁଖ ଜଳାଶୟରେ ଜଳସ୍ତର କମିବାର ଆଶଙ୍କା ତୀବ୍ର ହେବାରେ ଲାଗିଛି। ପାଣିପାଗ ବିଭାଗର ପରିସଂଖ୍ୟାନ ଅନୁଯାୟୀ, ଜୁନ୍ ୪ ରୁ ୧୫ ମଧ୍ୟରେ ଦେଶରେ ସ୍ୱାଭାବିକ ଭାବେ ୫୩.୭ ମିଲିମିଟର ବର୍ଷା ହେବା କଥା। ତେବେ ଏହି ସମୟ ମଧ୍ୟରେ ମାତ୍ର ୧୯.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଜାତୀୟ ସ୍ତରରେ ୬୪ ପ୍ରତିଶତର ବଡ଼ ଅଭାବକୁ ଦର୍ଶାଉଛି। ଜୁନ୍ ମାସର ପ୍ରାରମ୍ଭିକ ଆକଳନରେ ବର୍ଷାର ଅଭାବ ୨୮% ରୁ ୪୦% ମଧ୍ୟରେ ରହିବ ବୋଲି କୁହାଯାଉଥିଲା। କିନ୍ତୁ ବାୟୁମଣ୍ଡଳୀୟ ପରିବର୍ତ୍ତନ ଓ ସମୁଦ୍ରରୁ ଦୁର୍ବଳ ଆଦ୍ରତା ପ୍ରବାହ ଯୋଗୁଁ ସ୍ଥିତି ଅତି ଦ୍ରୁତ ଗତିରେ ବିଗିଡ଼ିବାରେ ଲାଗିଛି।
