ମାମଲାରେ ଶୁଣାଣି ଶେଷର ୩ ମାସ ମଧ୍ୟରେ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ

ହାଇକୋର୍ଟଗୁଡ଼ିକ ପାଇଁ କଡ଼ା ଡେଡ୍ ଲାଇନ୍ ରଖିଲେ ସୁପ୍ରିମକୋର୍ଟ

ହାଇକୋର୍ଟଗୁଡ଼ିକ ପାଇଁ କଡ଼ା ଡେଡ୍ ଲାଇନ୍ ରଖିଲେ ସୁପ୍ରିମକୋର୍ଟ! । ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବା ସହ ସାଧାରଣ ଜନତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ସ୍ମରଣୀୟ ଏବଂ ଐତିହାସିକ ନିର୍ଦ୍ଦେଶ । ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଏଣିକି ଦେଶର ସମସ୍ତ ହାଇକୋର୍ଟ କୌଣସି ମାମଲାର ଶୁଣାଣି ଶେଷ କରିବା ପରେ ତାର ଚୂଡ଼ାନ୍ତ ରାୟ ବା ଜଜ୍ ମେଣ୍ଟକୁ ୩ ମାସ ମଧ୍ୟରେ ପ୍ରକାଶ କରିବେ । ସେହିପରି ଜାମିନ ଆବେଦନ ଉପରେ ସେହି ଦିନ କିମ୍ବା ତା ପରଦିନ ମଧ୍ୟରେ ଆଦେଶ ଶୁଣାଇବାକୁ ହେବ । ଜାମିନ ମିଳିବା ମାତ୍ରେ ହିଁ ବିଚାରାଧୀନ କଏଦୀଙ୍କୁ ଜେଲ୍ ରୁ ମୁକ୍ତ କରାଯିବ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଏହି ବାଧ୍ୟତାମୂଳକ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଝାଡ଼ଖଣ୍ଡର ଏକ ମାମଲାର ଶୁଣାଣି ବେଳେ, ୨୦୨୨ ମସିହାରୁ ଅନେକ ଆବେଦନ ପେଣ୍ଡିଂ ରହିଥିଲା, ସେହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କୌଣସି ରାୟ ସଂରକ୍ଷିତ ରଖିବାର ୩ ମାସ ମଧ୍ୟରେ ତାହା ପ୍ରକାଶ କରିବେ । ଯଦି ଏଥିରେ ବିଳମ୍ବ ହୁଏ, ତେବେ ରେଜିଷ୍ଟ୍ରାର ଜେନେରାଲ ଏହି ମାମଲାକୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ରଖିବେ । ମୁଖ୍ୟ ବିଚାରପତି ୨ ସପ୍ତାହ ମଧ୍ୟରେ ରାୟ ପ୍ରକାଶ କରିବା ସୁନିଶ୍ଚିତ କରିବେ କିମ୍ବା ସେହି ମାମଲାକୁ ଅନ୍ୟ କୌଣସି ବେଞ୍ଚ୍ କୁ ହସ୍ତାନ୍ତର କରିବେ।

Leave a Reply

Your email address will not be published. Required fields are marked *