ହିଟ ୱେଭ୍କୁ ନେଇ ପ୍ରସ୍ତୁତ ନନ୍ଦନକାନନ
ହିଟ ୱେଭ୍କୁ ନେଇ ପ୍ରସ୍ତୁତ ନନ୍ଦନକାନନ । ଆଗକୁ ମାଡ଼ି ଆସୁଛି ଭୀଷଣ ଗ୍ରୀଷ୍ମ ପ୍ରବାହ । ଫେବୁଆରୀ ମାସରୁ ଅସହ୍ୟ ଗରମ ଅନୁଭୂତ ହେଲାଣି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଧ୍ୟାନ ଦେଇଛନ୍ତି । ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀମାନଙ୍କ ପାଇଁ ବ୍ୟାପକ ଭାବରେ ବନ୍ଦୋବସ୍ତ କରାଯାଇଛି ।ପ୍ରାଣୀଉଦ୍ୟାନରେ ଥିବା ୩୨୮ଟି ଖୁଆଡ଼କୁ ଥଣ୍ଡା ରଖାଯିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଏହିସବୁ ଖୁଆଡ଼ରେ ରହୁଛନ୍ତି ୧୭୮ ପ୍ରଜାତିର ୪୧୫୦ ଜୀବଜନ୍ତୁ। ପ୍ରତି ଖୁଆଡ଼ ଉପରେ ବାଉଁଶ ତାଟି ଓ ନଡ଼ାଛପର କରାଯାଇଛି। ଗରମ ଅଧିକ ହେଲେ ଖୁଆଡ଼ରେ ବରଫ ରଖାଯିବ। ଅଧିକାଂଶ ତୃଣଭୋଜି ଜୀବଜନ୍ତୁଙ୍କୁ କାକୁଡ଼ି, ତରଭୁଜ ଓ ଥଣ୍ଡା ପାନୀୟ ଦିଆଯିବ। ବାଘ, ସିଂହ ଭଳି ମାଂସାସୀ ପ୍ରାଣୀଙ୍କୁ ଭିନ୍ନ ଉପାୟରେ ମାଂସକୁ ବରଫ କରି ଖାଇବାକୁ ଦିଆଯିବ। ପାଣି କୁଣ୍ଡକୁ ଥଣ୍ଡା ରଖିବା ପାଇଁ ତା ଉପରେ ତାଟି ମଧ୍ୟ ପକାଯିବ। ହାତୀଶାଳରେ ପାଣିର ଅଲଗା ବ୍ୟବସ୍ଥା କରାଯାଇଛି।ଅଧିକ ଖରା ହେଲେ ଖୁଆଡ଼ରେ ସ୍ପ୍ରିଙ୍କଲର ସାହାଯ୍ୟରେ ହାତୀ ଉପରେ ପାଣି ସିଞ୍ଚନ କରାଯିବ । ଗରମ ସହି ପାରୁନଥିବା ବିଦେଶୀ ଜନ୍ତୁଙ୍କ ମଧ୍ୟରେ ରହିଛନ୍ତି ସିମ୍ପାଞ୍ଜୀ, ହୁଲକ ଗିବନ, ବିଦେଶୀ ମାଙ୍କଡ଼ ଓ ବଜ୍ରକାପ୍ତା ଖୁଆଡ଼ରେ କୁଲର ଓ ଫ୍ୟନ ଲଗାଯିବ । ଚଢ଼େଇଙ୍କୁ ବିଭିନ୍ନ ପ୍ରକାର ମିଠା ଫଳ ଓ ତରଭୁଜଖାଇବାକୁ ଦିଆଯିବ। ଗାଧୋଇବା ପାଇଁ ଖୁଆଡ଼ ମଧ୍ୟରେ ବଡ଼ ମାଟି ପାତ୍ରରେ ପାଣି ରଖଯିବ । ସରୀସୃପ ଉଦ୍ୟାନରେ ପର୍ଯ୍ୟାପ୍ତ ପାଣି ଏବଂ ବରଫ ବ୍ୟବସ୍ଥା ମଧ୍ୟ କରାଯିବ । ଜୀରାଫ ପାଇଁ ଖୁଆଡ଼ ମଧ୍ୟରେ ପାଣି ସିଞ୍ଚନ କରାଯିବା ସହ ଫଗର ଲଗାଯାଇଛି । ସେହିଭଳି ପର୍ଯ୍ୟଟକଙ୍କ ପାଇଁ ପ୍ରଚୁର ପାଣିର ବ୍ୟବସ୍ଥା କରାଯାଇଛି ।
