୭ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କଲା ଭାରତ

ପରାଜୟ ବିପଦକୁ ଟାଳି ଦେଇଛି ପାଣ୍ଡ୍ୟାଙ୍କ ଟିମ୍

କ୍ରମାଗତ ପରାଜୟ ପରେ ତୃତୀୟ ଟ୍ବେଣ୍ଟିରେ ଭାରତ ୭ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। କୁଲଦୀପଙ୍କ ୩ ୱିକେଟ୍ ସଫଳତା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଏବଂ ତିଳକ ବର୍ମାଙ୍କ ୪୯* ରନ୍‌ ବଳରେ ଦଳ ସହଜ ବିଜୟ ହାସଲ କରିଛି। ଏଥି ସହିତ ୫ ମ୍ୟାଚ୍‌ ଶୃଙ୍ଖଳାରେ ଆଗୁଆ ପରାଜୟ ବିପଦକୁ ଟାଳି ଦେଇଛି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ। ଘରୋଇ ଦଳ ଏବେ ୨-୧ରେ ଆଗୁଆ ରହିଛି। ଅନ୍ତିମ ଦୁଇ ଟ୍ବେଣ୍ଟି-୨୦ ଆମେରିକାର ଲୌଡରହିଲ୍‌ରେ ଅଗଷ୍ଟ ୧୨ ଓ ୧୩ ତାରିଖରେ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ବ୍ରାଣ୍ଡନ୍ କିଙ୍ଗ୍ ଓ କାଏଲ୍ ମାୟର୍ସ ପ୍ରଥମ ୱିକେଟ୍‌ ପାଇଁ ୫୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଏଥି ପାଇଁ ୭.୪ ଓଭର ଖେଳିଥିଲେ। ପ୍ରଥମ ଦୁଇ ପରିବର୍ତ୍ତନରେ ଆସିଥିବା ଅକ୍ଷର ପଟେଲ୍ ଓ ୟୁଝବେନ୍ଦ୍ର ଚହଲ ପ୍ରଥମରୁ ପ୍ରଭାବହୀନ ରହିଥିଲେ। ତେବେ ମାୟର୍ସଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍‌ ପ୍ରାରମ୍ଭିକ ଯୋଡ଼ିକୁ ଅଲଗା କରିଥିଲେ। ଏହା ପରେ କୁଲଦୀପ ଯାଦବଙ୍କ ଆଗମନ ନିର୍ଣ୍ଣାୟକ‌ ହୋଇଥିଲା। ‌ବ୍ରାଣ୍ଡନ୍ କିଙ୍ଗ୍‌, ଜନ୍‌ସନ୍ ଚାର୍ଲସ, ନିକୋଲାସ ପୂରନଙ୍କୁ ଆଉଟ୍ କରି କୁଲଦୀପ ୪-୦-୨୮-୩ ବୋଲିଂ ଚିତ୍ର ସହ ଘରୋଇ ଦଳକୁ ବଡ଼ ସ୍କୋର୍‌ ଦିଗରେ ଅଗ୍ରସରରୁ ରୋକିଥିଲେ। ଅଧିନାୟକ ରୋଭମାନ ପାୱେଲ ତିନୋଟି ଦର୍ଶନୀୟ ଛକା ସହିତ ୧୯ ବଲ୍‌ରୁ ୪୦* ରନ୍‌ କରିବାରୁ ୱେଷ୍ଟଇଣ୍ଡିଜ୍ ୧୫୯ ରନ୍‌ର ଲଢ଼ୁଆ ସ୍କୋର୍‌ କରିଥିଲା। ଅକ୍ଷର ପଟେଲ୍ ଓ ମୁକେଶ କୁମାର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।