ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ଇଣ୍ଡିଆ ଆଗରେ ଭଲ ସୁଯୋଗ
କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଫାଇନାଲରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି ଶ୍ରୀଲଙ୍କା ଟିମ୍ କୁ । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମାତ୍ର ୫୦ ରନରେ ଅଲ ଆଉଟ ହୋଇଯାଇଛି । ଭାରତର ୩ ବୋଲର ମହମ୍ମଦର ସିରାଜ, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଆଗରେ ସମଗ୍ର ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କରିଦେଇଛି । ତେବେ ଦିନିକିଆ ଇତିହାସରେ ଶ୍ରୀଲଙ୍କାର ଏହା ସର୍ବନିମ୍ନ ସ୍କୋର ନୁହେଁ । ପୂର୍ବରୁ ୨୦୧୨ରେ ଦକ୍ଷିଣ ଆଫ୍ରିକା ବିରୋଧରେ ଶ୍ରୀଲଙ୍କା ମାତ୍ର ୪୩ ରନରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଓଭରରେ ହିଁ ବୁମରା ଶ୍ରୀଲଙ୍କାର କୁଶଲ ପରେରାଙ୍କୁ ଆଉଟ କରିଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସିରାଜଙ୍କ ଅଗ୍ନିବର୍ଷୀ ବୋଲିଂ । ସେ ଭାରତର ୪ର୍ଥ ଓ ବ୍ୟକ୍ତିଗତଭାବେ ନିଜର ୨ୟ ଓଭର ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଲେ । ଏହି ଓଭରରେ ସେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ-ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ନିଜର ୩ୟ ଓଭରରେ ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ । ସେତେବେଳେ ଶ୍ରୀଲଙ୍କାର ସ୍କୋର ମାତ୍ର ୧୨ ରନ ଥିଲା ଓ ଦଳ ୬ଟି ଓ୍ବିକେଟ ହରାଇଥିଲା । ପରେ ସିରାଜ ନିଜର ୬ଷ୍ଠ ଓଭର ବୋଲିଂ କରିବାକୁ ଆସି କୁଶଲ ମେଣ୍ଡିସଙ୍କୁ ଆଉଟ୍ କରିଦେଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିଥିଲେ । ସେ ମୋଟ ୩ଟି ଓ୍ବିକେଟ ନେଇଥିଲେ ।