ସ୍ୱାଧୀନତା ସଂଗ୍ରାମର ସହ ଜଡ଼ିତ ଏକ ବଡ଼ ଅଧ୍ୟାୟର ଶେଷ
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ଜଡ଼ିତ ଏକ ଅଧ୍ୟାୟ ଆଜି ଶେଷ ହୋଇଛି । ଲଣ୍ଡନସ୍ଥିତ ‘ଇଣ୍ଡିଆ କ୍ଲବ୍’ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ ଥିବା ଏହି କ୍ଲବ ଏକଦା ନିଜ ଦେଶଠାରୁ ଦୂରରେ ଥିବା ଭାରତୀୟମାନଙ୍କର ଦ୍ୱିତୀୟ ଘର ଥିଲା । ଦେଶର ସ୍ୱାଧୀନତା ପାଇଁ ଲଢୁଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରିବା ପାଇଁ ଇଣ୍ଡିଆ କ୍ଲବ ଏକ ପ୍ରମୁଖ କେନ୍ଦ୍ର ଥିଲା । ଏହି କ୍ଲବର ପ୍ରତିଷ୍ଠାତା ସଦସ୍ୟ କ୍ରିଷ୍ଣା ମେନନ ବ୍ରିଟେନରେ ସ୍ୱାଧୀନ ଭାରତର ପ୍ରଥମ ହାଇକମିଶନର ହୋଇଥିଲେ । ଇଣ୍ଡିଆ କ୍ଲବ ବ୍ରିଟେନରେ ପ୍ରାରମ୍ଭିକ ଭାରତୀୟ ରେଷ୍ଟୁରାଣ୍ଟ ମଧ୍ୟରୁ ଅନ୍ୟତମ ଥିଲା ଏବଂ ପରବର୍ତ୍ତୀ ସମୟରେ ବ୍ରିଟିଶ ଦକ୍ଷିଣ ଏସୀୟ ସମ୍ପ୍ରଦାୟର ଏକ ହବ୍ ରେ ପରିଣତ ହୋଇଥିଲା । କ୍ଲବର ମ୍ୟାନେଜର ଫିରୋଜା ମାର୍କର କହନ୍ତି, “ସେପ୍ଟେମ୍ବର ୧୭ରେ ଯେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଯେ ଆମେ ବନ୍ଦ କରୁଛୁ, ସେତେବେଳେ ଏଠାକୁ ଆସୁଥିବା ଲୋକମାନଙ୍କ ସଂଖ୍ୟା ବଢିଯାଇଥିଲା । ଆମେ ଏହାକୁ ଏଠାରେ ବନ୍ଦ କରୁଛୁ କିନ୍ତୁ ଇଣ୍ଡିଆ କ୍ଲବକୁ ସ୍ଥାନାନ୍ତର କରିପାରିବା ପାଇଁ ନୂଆ ସ୍ଥାନ ଖୋଜୁଛୁ ବୋଲି ସେ କହିଛନ୍ତି ।
