ଗୃହକୁ ମୁଣ୍ଡିଆ ମାରି ଭାବ ବିହ୍ବଳ ହେଲେ ସୁର ରାଉତରାୟ

ସରିଲା ସୁରଙ୍କ ବିଧାନସଭା ଯାତ୍ରା

ଆଜି ଥିଲା ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ବିଧାନସଭା ଗୃହରୁ ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ନିଜ ପ୍ରତିକ୍ରିୟାରେ ସୁର ରାଉତରାୟ କହିଲେ, ଏହା ତାଙ୍କର ଶେଷ ବିଧାନସଭା । ସେ ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇସାରିଛନ୍ତି । ନିଜେ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ କାମ କରୁଥିଲି, କରିବି । ୧୯୭୭ ମସିହାରେ ପ୍ରଥମଥର ବିଧାୟକ ହୋଇ ଆସିବା ପରେ ଲଗାତାର ଜଟଣୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଆସିଛି । ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି ।ଜଟଣୀ ଆସନରୁ ବିଧାୟକ ରହିଛନ୍ତି ସୁର । କିନ୍ତୁ ୨୦୨୪ରେ ସୁରଙ୍କୁ ରାଜନୈତିକ ମୈଦାନରେ ଦେଖିବାକୁ ମିଳିବନି । ଏହି ଆସନରେ ନିଜ ସାନ ପୁଅକୁ ପ୍ରାର୍ଥୀ କରିବାକୁ ସେ ଘୋଷଣା କରିଛନ୍ତି। କିନ୍ତୁ ସାନପୁଅ ମନ୍ମଥ ରାଉତରାୟ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେହିଭଳି ବଡପୁଅ ନିମାପଡା ଆସନରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ସୁର । ସେହିପରି ବିଜେଡି ଓ କଂଗ୍ରେସ ବିଧାୟକମାନେ ମଧ୍ୟ ଶେଷ ଅଧିବେଶନରେ ନିଜର ମତ ରଖିଛନ୍ତି ।