ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ

ଜୁଲାଇ ୧ରୁ ଆରମ୍ଭ VB G RAM G ଆକ୍ଟ ମିଶନ

ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ । ଏନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି । ନୂଆ ଆକ୍ଟ ଅନୁଯାୟୀ, ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ ହେବ ଭିବି-ଜିରାମ-ଜି (VB G RAM G) । ଯାହା ପୂର୍ବରୁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ (MGNREGA) ନାମରେ ଜଣାଶୁଣା ଥିଲା ।ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଦୁର୍ନୀତି ଚାଲିଥିଲା । ଏଥିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ୨୦୨୫ ବିଲକୁ ଆଇନରେ ପ୍ରଣୟନ କରାଯାଇଥିଲା । VB G RAM G ବିଲ୍ ପୁରା ଦେଶର ଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ।ପୂର୍ବରୁ ମନରେଗାରେ କେବଳ ୧୦୦ ଦିନର ରୋଜଗାର ପାଇଁ ଗ୍ୟାରେଣ୍ଟି ଥିଲା । ମାତ୍ର ଅନେକ ସମୟରେ ୧୦୦ଦିନର କାମ ମିଳୁ ନ ଥିଲା । କେବଳ ୪୦ରୁ ୫୦ ଦିନର କାମ ପାଇ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ‘ଭିବି ଜି ରାମ ଜି’ ଯୋଜନାରେ କର୍ମନିଯୁକ୍ତି ଅବଧିକୁ ୧୦୦ ଦିନରୁ ବୃଦ୍ଧି କରାଯାଇ ୧୨୫ ଦିନ କରାଯାଇଛି । ଏହି ଯୋଜନାରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟ ପୂରଣ ହୋଇପାରିବ । ଏବେ ଗାଁ ଗୁଡ଼ିକର ସମ୍ପୂର୍ଣ୍ଣ ବିକାଶର କାମ ‘ଭିବି ଜି ରାମ ଜି’ ମାଧ୍ୟମରେ ହୋଇପାରିବ ।ନୂତନ ଯୋଜନାରେ ଗ୍ରାମରେ ସଡ଼କଠାରୁ ଆରମ୍ଭ କରି ପୋଲ, ଜଳସଂରକ୍ଷଣ, ବିଦ୍ୟାଳୟରେ ଶୌଚାଳୟ, ଚାଷୀମାନଙ୍କ ପାଇଁ ଫସଲ ମଣ୍ଡି ଭଳି ଅନେକ ପ୍ରକାର କାର୍ଯ୍ୟ ହୋଇପାରିବ । ଏଥିପାଇଁ ଗାଁର ସରପଂଚଙ୍କଠାରୁ ଆରମ୍ଭ କରି ପୁରା ଗ୍ରାମବାସୀ ମିଳିମିଶି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଗ୍ରାମରେ ବିଭିନ୍ନ ଉତ୍ପାଦକୁ ବୃଦ୍ଧି କରାଇବାରେ ନୂତନ ଯୋଜନା ସହାୟକ ହୋଇପାରିବ । ଏଥିପାଇଁ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ।ଶ୍ରମିକଙ୍କ ସିଧାସଳଖ ବ୍ୟାଙ୍କ କିମ୍ବା ଡାକଘର ସଞ୍ଚୟ ଖାତାକୁ ପାରିଶ୍ରମିକ ମିଳିବ । ଯଦି ପାରିଶ୍ରମିକ ଦେବାରେ ବିଳମ୍ବ ହୁଏ, ତେବେ ଶ୍ରମିକଙ୍କୁ କ୍ଷତିପୂରଣ ମିଳିବ । କାମ ନ ମିଳିଲେ ବେରୋଜଗାରୀ ଭତ୍ତା ମିଳିବ ।

Leave a Reply

Your email address will not be published. Required fields are marked *