୨୯ରେ ଓଡ଼ିଶା ଆସିବେ ଶାହ
ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ବସିବ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ବୈଠକରେ ଜାତୀୟ ସ୍ବାର୍ଥ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ବ୍ୟାପକ ଆଲୋଚନା ଓ ସମୀକ୍ଷା। ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ପ୍ରତିଷ୍ଠା, ମାମଲାର ତ୍ବରିତ ଶୁଣାଣି ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଗତିଶୀଳ କରିବା ଉପରେ ରହିବ ଗୁରୁତ୍ୱ। ସେହିପରି ପ୍ରତ୍ୟେକ ଗାଁର ନିର୍ଦ୍ଧାରିତ ଦୂରତା ମଧ୍ୟରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଇବା, ଜରୁରୀକାଳୀନ ପ୍ରତିକ୍ରିୟା ସମର୍ଥନ ପ୍ରଣାଳୀ ERSS-112ର କାର୍ଯ୍ୟକାରିତା ନେଇ ମଧ୍ୟ ହେବ ଆଲୋଚନା। ଏହାବ୍ୟତୀତ ଆଞ୍ଚଳିକ ସ୍ତରରେ ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ଯୋଗାଣ ଓ ନଗର ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମତବିନିମୟ ହେବା କାର୍ଯ୍ୟକ୍ରମ ରହିଛି। ଚାରିଟି ରାଜ୍ୟ ମଧ୍ୟରେ ସମନ୍ୱୟ ବୃଦ୍ଧି ସହ ଜନସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକର ସମାଧାନ ଦିଗରେ ବୈଠକରେ ଆଲୋଚନା ହେବ।
