ଏକାଥରକେ ୧୦୦୦ରୁ ଅଧିକ ଡ୍ରୋନ୍ ମାଡ଼

ରୁଷ ଉପରେ ୟୁକ୍ରେନର ବଡ଼ ଆକ୍ରମଣ

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଣିଥରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣକୁ ନେଇ ଚର୍ଚ୍ଚା ବଢ଼ିଛି । ରୁଷୀୟ ଅଧିକାରୀଙ୍କ ଅନୁସାରେ, ରାତିରେ ୟୁକ୍ରେନ ପକ୍ଷରୁ ରୁଷର ବିଭିନ୍ନ ଅଞ୍ଚଳ ଆଡ଼କୁ ଏକ ହଜାରରୁ ଅଧିକ ଡ୍ରୋନ୍ ପଠାଯାଇଥିଲା ।ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଦେଶର ବିଭିନ୍ନ ଅଞ୍ଚଳ ସହ କ୍ରିମିୟା ଏବଂ କୃଷ୍ଣ ସାଗର ଅଞ୍ଚଳରେ ୧,୦୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌କୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ କରିଛି । ତେବେ ମସ୍କୋ ଦିଗକୁ ଆସୁଥିବା ଡ୍ରୋନ୍‌ ସଂଖ୍ୟା ମଧ୍ୟ ବହୁତ ଅଧିକ ଥିବା ରୁଷୀୟ ଅଧିକାରୀମାନେ କହିଛନ୍ତି ।ମସ୍କୋର ମେୟର ସେରଗେଇ ସୋବୟାନିନ୍‌ଙ୍କ ଅନୁସାରେ, ପ୍ରାୟ ୪୫୦ ଡ୍ରୋନ୍‌କୁ ରାଜଧାନୀ ଆଡ଼କୁ ଆସୁଥିବା ସମୟରେ ଅଟକାଯାଇଥିଲା । ତଥାପି କିଛି ଡ୍ରୋନ୍‌ର ପ୍ରଭାବରେ ମସ୍କୋର ଏକ ତୈଳ ବିଶୋଧନାଗାର ଏବଂ ଏକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ଅଧିକାରୀମାନେ କହିଛନ୍ତି । ଏହି ଘଟଣା ରୁଷର ସଂସଦୀୟ ନିର୍ବାଚନର ଶେଷ ଦିନରେ ଘଟିଛି । ମସ୍କୋ ମେୟର ଏହାକୁ ନିର୍ବାଚନ ପ୍ରକ୍ରିୟାକୁ ବାଧା ଦେବାର ଏକ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି । ତେବେ ୟୁକ୍ରେନ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ତୁରନ୍ତ କୌଣସି ମତାମତ ଆସିନଥିବା ରଏଟର୍ସ ରିପୋର୍ଟ କରିଛି ।

Leave a Reply

Your email address will not be published. Required fields are marked *