ଆଜି ଶେଷ ହେଉଛି ଯୁଦ୍ଧବିରତି
ଆମେରିକା ଓ ଇରାନ ମଧ୍ୟରେ ଫେବ୍ରୁଆରି ୨୮ରେ ଆରମ୍ଭ ହୋଇଥିବା ଯୁଦ୍ଧ ମାସେରୁ ଅଧିକ ସମୟ ଚାଲିବା ପରେ ଏପ୍ରିଲ ୮ ତାରିଖରେ ଦୁଇ ସପ୍ତାହର ଯୁଦ୍ଧବିରତି ପରେ ବନ୍ଦ ରହିଛି। ଆଜି ଯୁଦ୍ଧବିରତି ଶେଷ ହେଉଥିବାବେଳେ ଦୁଇ ପକ୍ଷ ମଧ୍ୟରେ ପାକିସ୍ତାନରେ ଚୁକ୍ତି ହେଉଛି କି ଆଗକୁ ଯୁଦ୍ଧ ଜାରି ରହିବ ସେ ନେଇ ସାରା ବିଶ୍ବର ନଜର ପାକିସ୍ତାନର ରାଜଧାନୀ ଇସଲାମାବାଦ ଉପରେ ରହିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ପ୍ରତ୍ୟକ୍ଷ ଭାବେ କଥାବାର୍ତ୍ତା କରିବାକୁ ଚାହୁଛନ୍ତି। ଏକ ପାକିସ୍ତାନୀ ସୂତ୍ରରୁ ଜଣାପଡ଼ିଛି ଯେ କଥାବାର୍ତ୍ତା ଠିକ୍ ଦିଗରେ ଯାଉଛି ଓ ଆଜି ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ହେବାର ସମସ୍ତ ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଆଜି ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି କରିବା ସମ୍ଭାବନା କମ୍ ବୋଲି ଟ୍ରମ୍ପ କହିଛନ୍ତି। ଇରାନର ମାଲବାହୀ ଜାହାଜକୁ ଆମେରିକା ହର୍ମୁଜ ପ୍ରଣାଳୀରେ ଜବତ କରିବା ପରେ ତେହେରାନ ପାକିସ୍ତାନରେ ହେବାକୁ ଥିବା ଶାନ୍ତି ଆଲୋଚନାରେ ଭାଗ ନେବାକୁ ମନା କରିଦେଇଛି। କିନ୍ତୁ ଆମେରିକା ଶାନ୍ତି ଆଲୋଚନା ହେବା ନେଇ ସକାରାତ୍ମକ ମତ ରଖିଛି। ଇରାନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ‘ରଏଟର୍ସ’ ରିପୋର୍ଟ କରିଛି ଯେ ତେହେରାନ ଆଲୋଚନାରେ ଅଂଶଗ୍ରହଣ କରିବାକୁ ପୂର୍ବରୁ ମନା କରିଥିଲା, ଏବେ କିନ୍ତୁ ସକାରାତ୍ମକ ଭାବରେ ସମୀକ୍ଷା କରୁଛି। ତେବେ ଏ ଦିଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା କୁହାଯାଇଛି।
