ରାଷ୍ଟ୍ରପତିଙ୍କ ହାତରୁ ପଦ୍ମ ସମ୍ମାନ, ସମ୍ମାନିତ ହେଲେ ୩ ଓଡ଼ିଆ
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ । ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ବ୍ରମଙ୍କୁ ପଦ୍ମଶ୍ରୀ ସମ୍ମାନ । କଳା ପାଇଁ ଶରତ ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ । ଶରତ ପାତ୍ର ହେଉଛନ୍ତି କଟକ ନୂଆପାଟଣା ମାଣିଆବନ୍ଧର ହସ୍ତତନ୍ତ ବୁଣାକାର । ଇକତ ଓ ବାନ୍ଧକଳାରେ ନିପୁଣତା ହାସଲ କରିଛନ୍ତି ଶରତ ପାତ୍ର । ସୀମାଞ୍ଚଳ ପାତ୍ର ଗଞ୍ଜାମ ଅଞ୍ଚଳର ପ୍ରସିଦ୍ଧ ଲୋକ କଳାକାର । ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୬୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ଦିଆଗଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏଥିରେ ୨ ଜଣଙ୍କୁ ପଦ୍ମବିଭୂଷଣ, ୭ ଜଣ ପଦ୍ମଭୂଷଣ, ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ।ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ ଏବଂ ରାଜନେତା ତଥା କ୍ରୀଡା ପ୍ରଶାସକ ଭି. କେ. ମାଲହୋତ୍ରାଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାର ଦିଆଗଲା । ସେହିପରି ଲୋକପ୍ରିୟ କଣ୍ଠଶିଳ୍ପୀ ଅଲ୍କା ୟାଗ୍ନିକ୍ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ମାମୁଟ୍ଟି, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗୋଆ ଓ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଭଗତ ସିଂ କୋସିଆରି, ଶିଳ୍ପପତି ଉଦୟ କୋଟକ, ପୂର୍ବତନ ଟେନିସ ତାରକା ବିଜୟ ଅମୃତରାଜଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଗଲା ।ତାରକା କ୍ରିକେଟର ରୋହିତ ଶର୍ମା, ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନ୍ ପ୍ରିତ୍ କୌର, ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରବୀଣ କୁମାର, ମହିଳା ହକି ଖେଳାଳି ସବିତା ପୂର୍ଣ୍ଣିୟାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଲା । ଅଭିନେତା ଆର. ମାଧବନ୍, ପ୍ରସେନଜିତ୍ ଚାଟାର୍ଜୀ, ଅନିଲ ରସ୍ତୋଗି, ଅରବିନ୍ଦ ବୈଦ୍ୟଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ।
