ବୁଡ଼ ପକାଇଲେ ଭୁଟାନ ରାଜା

ମହାକୁମ୍ଭରେ ବୁଡ଼ ପକାଇଲେ ଭୁଟାନ ରାଜା

ପ୍ରୟାଗରାଜ ମହାକୁମ୍ଭରେ ଦେଶ, ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକାଉଛନ୍ତି । ଆଜି ଭୁଟାନ ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ ମଧ୍ୟ ତ୍ରିବେଣୀ ସଙ୍ଗମରେ ପହଞ୍ଚି ପବିତ୍ର ସ୍ନାନ କରିଛନ୍ତି । ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ବେଳେ ତାଙ୍କ ସହିତ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭୁଟାନ ରାଜା ଅରେଲ ଘାଟରେ ଆସ୍ଥାର ବୁଡ଼ ପକାଇଛନ୍ତି । ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକଙ୍କ ଫଟୋଗୁଡ଼ିକୁ ସିଏମ୍ ଯୋଗୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ବୁଡ଼ ପକାଇବା ପୂର୍ବରୁ ଭୁଟାନ ରାଜା ଓ ୟୁପି ସିଏମ୍ ବିଧି ବିଧାନର ସହ ସଙ୍ଗମ ତଟରେ ପୂଜାର୍ଚ୍ଚନା କରିଥିଲେ । ଉଭୟ ପାରାଙ୍କୁ ଦାନା ଖୁଆଉଥିବା ନଜର ଆସିଥିଲେ । ରାଜା ଅକ୍ଷୟବଟ ଏବଂ ଲାଟେ ହନୁମାନ ମନ୍ଦିର ଦର୍ଶନ କରିବା ପରେ ପ୍ରୟାଗରାଜରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।