ବାଲିଯାତ୍ରାରେ ପ୍ରଥମ ମହାନଦୀ ବୋଇତ ପ୍ରତିଯୋଗିତା ୨୦୨୫ ଉଦଘାଟିତ
ବାଲିଯାତ୍ରାରେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଇତ ପ୍ରତିଯୋଗିତା । ଜଳରାଶିରେ ଦେଖାଉଛନ୍ତି ନିଜ ନିଜର ଜଳୱା । କଟକ ଐତିହାସିକ ବାଲିଯାତ୍ରା ଅବସରରେ ପ୍ରଥମ ମହାନଦୀ ବୋଇତ ପ୍ରତିଯୋଗିତା ୨୦୨୫ ଉଦଘାଟିତ ହୋଇଯାଇଛି । ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ପରମ୍ପରାର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ର ଅଂଶସ୍ୱରୂପ ପ୍ରଥମ ମହାନଦୀ ବୋଇତ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ କରାଯାଇଛି ।ନଭେମ୍ବର ୧୧ ଏବଂ ୧୨ ନଭେମ୍ବର ଦୁଇ ଦିନ ଧରି କଟକର ଗଡ଼ଗଡିଆ ଘାଟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ ଓଡିଶା , ଛତିଶଗଡ଼, ବିହାର , ପଞ୍ଜାବ , ଦିଲ୍ଲୀ , ଆସାମ , ଉତ୍ତରପ୍ରଦେଶ , ଝାଡ଼ଖଣ୍ଡ , ହରିୟାଣା ଭଳି ରାଜ୍ୟର ଜାତୀୟ ସ୍ତରୀୟ ପୁରୁଷ ଓ ମହିଳା ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।ଉଦ୍ଘାଟନୀ ସମାରୋହରେ, ମୁଖ୍ୟ ଅତିଥି ଭାବରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହିବା ସହ ଫ୍ଲାଗ ହୋଷ୍ଟିଂ କରି ବୋଇତ ରେସ ଆରମ୍ଭ କରିଥିଲେ ଏବଂ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିଭଳି ଐତିହାସିକ ବାଲିଯାତ୍ରାରେ ଆଜି ମୁଖ୍ୟ ଆକର୍ଷଣ ଥିଲା ଫ୍ଲାଏ ବୋଟ । ଜଣେ ଯୁବକ ଚିତାକର୍ଷକ ଭାବେ ଏହା ପ୍ରଦର୍ଶନ କରିଥିଲେ । ଉପସ୍ଥିତ ଦର୍ଶକ ଏହି ଜଳ କ୍ରୀଡା ଦେଖି ମନ ଭରି ଉପଭୋଗ କରିଥିଲେ ।
