ଖୋଲିଲା ବାବା ବଦ୍ରିନାଥଙ୍କ କପାଟ, ମୁଖ୍ୟମନ୍ତ୍ରୀ ଧାମି କଲେ ପ୍ରଥମ ପୂଜା

ଖୋଲିଲା ବାବା ବଦ୍ରିନାଥଙ୍କ କପାଟ

ବାବା କେଦାରନାଥଙ୍କ କପାଟ ଖୋଲିବା ପରେ ବାବା ବଦ୍ରିନାଥଙ୍କ କପାଟ ଖୋଲିଛି । ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଗୁରୁବାର ସକାଳ ୬ଟା ୧୫ ମିନିଟରେ ଭଗବାନ ବଦ୍ରି ବିଶାଳଙ୍କ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଦିଆଯାଇଛି । ମନ୍ଦିରର ଦ୍ୱାର ଖୋଲିବା ଅବସରରେ ଭଗବାନଙ୍କ ଦରବାରକୁ କୁଇଣ୍ଟାଲ କୁଇଣ୍ଟାଲ ଫୁଲରେ ସଜାଯାଇଥିଲା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କପାଟ ଉଦ୍ଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ମହାଭିଷେକ ପୂଜା ସଂପନ୍ନ କରି ଦେଶ ଏବଂ ରାଜ୍ୟର ସୁଖ ସମୃଦ୍ଧି କାମନା କରିଛନ୍ତି ।ଧାର୍ମିକ ବିଧି ଅନୁଯାୟୀ, କବାଟ ଖୋଲିବା ମାତ୍ରେ ସର୍ବପ୍ରଥମେ ମାତା ଲକ୍ଷ୍ମୀଙ୍କୁ ତାଙ୍କ ମନ୍ଦିରରେ ବିରାଜମାନ କରାଯାଇଥିଲା । ଏହା ସହିତ ଦକ୍ଷିଣ ଦ୍ୱାର ଦେଇ ଭଗବାନ କୁବେର ଏବଂ ଉଦ୍ଧବ ଜୀଙ୍କ ମୂର୍ତ୍ତିକୁ ମନ୍ଦିର ପରିସର ମଧ୍ୟକୁ ଅଣାଯାଇଥିଲା । ବର୍ତ୍ତମାନ ଉଦ୍ଧବ ଓ କୁବେର ଜୀ ଗର୍ଭଗୃହରେ ଅବସ୍ଥାପିତ ହୋଇଥିବାବେଳେ ମାତା ଲକ୍ଷ୍ମୀ ନିଜର ସ୍ୱତନ୍ତ୍ର ମନ୍ଦିରରେ ବିରାଜିତ ହୋଇଛନ୍ତି ।ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, “ଆଜି ସମ୍ପୂର୍ଣ୍ଣ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ପବିତ୍ର ବଦ୍ରିନାଥ ଧାମ ଭକ୍ତଙ୍କ ପାଇଁ ଖୋଲାଯାଇଛି । ଭଗବାନ ବଦ୍ରିନାଥଙ୍କ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ । ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଆଧ୍ୟାତ୍ମିକ ଶକ୍ତି ଓ ବିଶ୍ୱାସର ବାର୍ତ୍ତା ବହନ କରୁ । ପବିତ୍ର ଚାରିଧାମ ଯାତ୍ରା-୨୦୨୬ ପାଇଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଶୁଭେଚ୍ଛା ।”ବଦ୍ରିନାଥ ଧାମର କବାଟ ଖୋଲିବା ପରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି । ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ଓ ଉତ୍ସାହ ପୂର୍ବ ବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ଦେଖିବାକୁ ମିଳୁଛି । ଚଳିତବର୍ଷ ମନ୍ଦିର ପରିସର ମଧ୍ୟରେ ମୋବାଇଲ ଫୋନ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।

Leave a Reply

Your email address will not be published. Required fields are marked *