ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ଉପରେ ଲାଗିବନି ରୋକ

ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ଉପରେ ରୋକ ଲାଗିବନି । ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଚଳଚ୍ଚିତ୍ରର ମୁକ୍ତି ଉପରେ ରୋକ ଲଗାଇବାକୁ ଦାଖଲ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ବିଚାରପତି ବି.ଭି. ନାଗରତ୍ନା ଓ ବିଚାରପତି ଆର୍. ମହାଦେବନଙ୍କ ଖଣ୍ଡପୀଠ ପୂର୍ବରୁ ଜୁଲାଇ ୧୭ରେ ଦିଆଯାଇଥିବା ଆଦେଶକୁ ବଳବତ୍ତର ରଖି କହିଛନ୍ତି, ରଥଯାତ୍ରା ଶେଷ ପରେ ଫିଲ୍ମ ମୁକ୍ତି ପାଇବାରେ କୌଣସି ବାଧା ନାହିଁ । ଶୁଣାଣି ବେଳେ ମନ୍ଦିର ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ଭଗବାନ ଜଗନ୍ନାଥଙ୍କୁ ଆନିମେଟେଡ୍ ବା ‘କାର୍ଟୁନ’ ରୂପରେ ଦେଖାଇବା ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି । କିନ୍ତୁ ଏହାକୁ ଖଣ୍ଡନ କରି ସୁପ୍ରିମକୋର୍ଟ ମୌଖିକ ଭାବେ କହିଥିଲେଯେ କେତେକ ଲୋକଙ୍କ ସମ୍ବେଦନଶୀଳତାକୁ ଆଧାର କରି କଳା ଓ ସୃଜନଶୀଳତା ଉପରେ ରୋକ ଲଗାଯାଇପାରିବ ନାହିଁ ।

ଏପରି ହେଲେ ରାମାୟଣ, ମହାଭାରତ ଭଳି ମହାକାବ୍ୟ ଉପରେ ଆଧାରିତ ସମସ୍ତ କଳାକୃତି, ଚିତ୍ର, ଟେଲିଭିଜନ ଧାରାବାହିକ ଓ ସାହିତ୍ୟ ମଧ୍ୟ ବନ୍ଦ କରିବାକୁ ପଡ଼ିବ । ବିଚାରପତି ବି.ଭି. ନାଗରତ୍ନା କହିଥିଲେ, ଆନିମେସନ ଫିଲ୍ମ ମୁଖ୍ୟତଃ ଶିଶୁମାନଙ୍କ ପାଇଁ ତିଆରି ହୁଏ ଏବଂ ସୃଜନଶୀଳ କାର୍ଯ୍ୟ ପୂର୍ବରୁ ନିର୍ମାତାମାନେ ବ୍ୟାପକ ଗବେଷଣା କରିଥାନ୍ତି । କେବଳ କିଛି ଲୋକଙ୍କ ଆପତ୍ତି ଆଧାରରେ କଳାକାରଙ୍କ ସୃଜନଶୀଳତାକୁ ବନ୍ଦୀ କରିହେବ ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ ।ଅନ୍ୟପକ୍ଷରେ, ମନ୍ଦିର କମିଟି ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଥିଲେ ଯେ, ନିର୍ମାତା ପୂର୍ବରୁ ବିଶେଷ ପ୍ରଦର୍ଶନୀ ପରେ ଆପତ୍ତିଜନକ ଦୃଶ୍ୟରେ ପରିବର୍ତ୍ତନ କରିବେ ବୋଲି କହିଥିଲେ, କିନ୍ତୁ ସେହି ପ୍ରତିଶ୍ରୁତି ପାଳନ କରିନାହାନ୍ତି ।

ଫିଲ୍ମରେ ମହାପ୍ରଭୁଙ୍କୁ ‘ଡୋରେମନ୍’ ଓ ‘ସ୍ପାଇଡରମ୍ୟାନ୍’ ପରି ଉପସ୍ଥାପନ କରାଯାଇଥିବା ଅଭିଯୋଗ ମଧ୍ୟ ସେ ଆଣିଥିଲେ । ତେବେ ନିର୍ମାତା ସଂସ୍ଥା ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ କୋର୍ଟଙ୍କୁ କହିଥିଲେ ଯେ, କୌଣସି ପରିବର୍ତ୍ତନର ପ୍ରତିଶ୍ରୁତି ଦିଆଯାଇନଥିଲା । ଶେଷରେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରି କହିଛନ୍ତି, ନିର୍ମାତା ନିଜ ବିବେକ ଅନୁସାରେ ଚାହିଲେ ପରିବର୍ତ୍ତନ କରିପାରିବେ, କିନ୍ତୁ ଏହାର ବିଚାର କରିବାକୁ କୋର୍ଟ ବସିବେ ନାହିଁ ।

Leave a Reply

Your email address will not be published. Required fields are marked *