ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା

ଆଜିଠୁ ଆରମ୍ଭ ହେବ ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ସଦସ୍ୟ ନିର୍ବାଚନ ପ୍ରକ୍ରିୟା

ଜୁଲାଇ ୧ ସୁଦ୍ଧା ସରିବ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା। ଆଜିଠୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ। କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସଞ୍ଜୟ ଜୟସ୍ବାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବେ ସଞ୍ଜୟ ଜୟସ୍ବାଲ। ୩ଦିନ ଧରି ଚାଲିବ ନିର୍ବାଚନ ପ୍ରକ୍ରିୟା। ପୂର୍ବରୁ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ପ୍ରତି ୩ବର୍ଷରେ ଥରେ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ। ୨୦୨୩ ମାର୍ଚ୍ଚ ୨୪ରୁ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ମନମୋହନ ସାମଲ। ପୂର୍ବରୁ ମଧ୍ୟ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି। ଏବେ କିଏ ହେବ ପରବର୍ତ୍ତୀ ରାଜ୍ୟ ବିଜେପି ମୁଖିଆ ନା ରିପିଟ ହେବେ ମନମୋହନ ତା ଉପରେ ରହିଛି ସମସ୍ତଙ୍କ ନଜର।