ଚୋରିର ଡେମୋ ଦେଖାଇଲା ସ୍ପାଇଡର ସତୀଶ
ଡେମୋ ଦେଖାଇଲା ସ୍ପାଇଡର ସତୀଶ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ଡେମୋ ଦେଖାଇଲା ସ୍ପାଇଡର ସତୀଶ । ଏଥିପାଇଁ ତାକୁ କଡ଼ା ସୁରକ୍ଷା ବଳୟରେ ନୟାପଲ୍ଲୀକୁ ଅଣାଯାଇଥିଲା । କିପରି ପାଚେରି ଡେଇଁ ଚୋରି କରିଥିଲା ଏବଂ ଚୋରି ପରେ କିପରି ସେଠାରୁ ଖସି ଯାଇଥିଲା ତାର ଡେମୋ ଦେଖାଇଛି । ସତୀଶକୁ କମିଶନରେଟ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି । ଆଜି ରିମାଣ୍ଡର ତୃତୀୟ ଦିନରେ ଡେମୋ ଦେଖାଇଛି ସ୍ପାଇଡର । ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରିର ୧୯ଦିନ ପରେ କୋଟିପତି ଚୋର ସତୀଶ ରେଡ୍ଡୀକୁ ବିଶାଖାପାଟଣାରୁ ଗିରଫ କରିଥିଲା ପୋଲିସ । ତା ନାଁରେ ୭୦ରୁ ଅଧିକ ମାମଲା ଥିବା ବେଳେ ସେ ୧୨ଥର ଜେଲ ଯାଇଛି । ଗୁଗୁଲ ଓ ୟୁ ଟ୍ୟୁବରୁ ସତୀଶ କୋଟିପତି ଲୋକଙ୍କ ଠିକଣା ଠାବ କରୁଥିଲା ।ପୂର୍ବରୁ ୨୦୨୩ ମସିହାରେ ନୂଆପଲ୍ଲୀ ଥାନା ଭିଭିଆଇପି ଅଞ୍ଚଳରେ ଥିବା ଏଆରଏସଏସ ମାଲିକଙ୍କ ଘରେ ପଶି କଳାକନା ବୁଲାଇଥିଲା । ୫ ରାଜ୍ୟରେ କୋଟିପତିଙ୍କ ଘରୁ ସତୀଶ ୨ଶହ କୋଟିର ସଂପତ୍ତି ଲୁଟିଛି ବୋଲି ପୋଲିସ ସୂଚନା ଦେଇଛି । ଚୋରି ଟଙ୍କାରେ ସତୀଶ ଦୁଇ ସ୍ତ୍ରୀ ଓ ପ୍ରେମିକା ପାଇଁ ଫ୍ଲାଟ୍, କିଛି ମୂଲ୍ୟବାନ ପ୍ଲଟ କିଣିଛି ।
