ମଧ୍ୟରାତ୍ରିରେ ପଡ଼ିବ ଦେବ ଦମ୍ପତିଙ୍କ ହାତଗଣ୍ଠି
ଆଜି ଦେବ ଦମ୍ପତିଙ୍କ ବିବାହ । ମଧ୍ୟରାତ୍ରିରେ ପଡ଼ିବ ହାତଗଣ୍ଠି । ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଦେବ ବିବାହ ପାଇଁ ଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିର ଉତ୍ସବମୁଖର ହୋଇପଡ଼ିଛି । ଦୁଇ ମନ୍ଦିରକୁ ରଙ୍ଗିନ ଆଲୋକ ଓ ଫୁଲରେ ସଜାଯାଇଛି । ଗତକାଲିରାତି ପ୍ରାୟ ସାଢ଼େ ୮ଟାରେ ସନ୍ଧ୍ୟା ଧୂପ ନୀତି ପରେ ଶ୍ରୀଲିଙ୍ଗରାଜଙ୍କ ପକ୍ଷରୁ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେବାୟତମାନେ ଫୁଲ, ଚନ୍ଦନ, ବେଲପତ୍ର ଓ ଠାକୁରଙ୍କ ମହାପ୍ରସାଦକୁ ସମର୍ପଣ କରି ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରିଛନ୍ତି । କେଦାରଗୌରୀ ମନ୍ଦିରରେ ବି ମଙ୍ଗନ ବିଧି ଯଥାରୀତି ସଂପନ୍ନ ହୋଇଛି । ଅଷ୍ଟପ୍ରହର ନାମଯଜ୍ଞ ସହ ମଙ୍ଗନ କାର୍ଯ୍ୟ କରାଯାଇଛି ।ପ୍ରଭୁ ଲିଙ୍ଗରାଜଙ୍କ ବରଯାତ୍ରୀକୁ ସ୍ବାଗତ କରିବାକୁ ସବୁ ପ୍ରସ୍ତୁତି ସରିଛି । କେଦାରଗୌରୀ ପରିସରରେ ଥିବା ସବୁ ମନ୍ଦିରକୁ ରଙ୍ଗ କରାଯିବା ସହ ଚିତା ପକାଯାଇଛି । ସେହିପରି ଫୁଲରେ ସଜ୍ଜିତ ତୋରଣ ଓ କଳସ ସ୍ଥାପନା କରାଯାଇଛି । ଲିଙ୍ଗରାଜଙ୍କ ଚଳନ୍ତି ବିଗ୍ରହଙ୍କୁ ବରବେଶରେ ସଜେଇ ବିଭିନ୍ନ ପାରମ୍ପରିକ ବାଦ୍ୟ ବଜାଇ ଓ ରୋଷଣି କରି ବରଯାତ୍ରୀ ବାହାରି କେଦାରଗୌରୀ ମନ୍ଦିରକୁ ଯିବେ । ବିଧି ମୁତାବକ ରାତି ସାଢ଼େ୧୧ଟା ସୁଦ୍ଧା ବରଯାତ୍ରୀ ମନ୍ଦିରରୁ ବାହାରିବେ। ବଢ଼େଇବାଙ୍କ ଛକ, ତିନିମୁଣ୍ଡିଆ ଛକ ଓ ଏକାମ୍ର ବନ ନିକଟ ଦେଇ ଶୋଭାଯାତ୍ରା ଯିବ। ମନ୍ଦିରର ଜ୍ୟୋତିଷଙ୍କ ଧାର୍ଯ୍ୟ ସମୟ ଅନୁଯାୟୀ ରାତି ୧୨ଟାରୁ ସାଢ଼େ ୩ଟା ମଧ୍ୟରେ ହାତଗଣ୍ଠି ପଡ଼ିବ।
