କାର ଭିତରୁ ମିଳିଲା ୭ ଜଣଙ୍କ ମୃତଦେହ
ଗୋଟିଏ ପରିବାରର ୭ ଜଣଙ୍କ ଆତ୍ମହତ୍ୟା । ଗାଡ଼ି ଭିତରୁ ଉଦ୍ଧାର ହୋଇଛି ସମସ୍ତଙ୍କର ମୃତଦେହ । ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ ପାର୍କ ହୋଇଥିବା ଏକ କାର ଭିତରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଡେରାଡୁନର ବାସିନ୍ଦା ପ୍ରବୀଣ ମିତ୍ତଲ ତାଙ୍କ ବାପାମାଆ, ପତ୍ନୀ, ଦୁଇ ଝିଅ ଓ ପୁଅଙ୍କୁ ନେଇ ପଞ୍ଚକୁଲାର ବାଗେଶ୍ବର ଧାମକୁ ହନୁମାନ କଥା ପ୍ରବଚନ ଶୁଣିବାକୁ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ପରେ ସେମାନେ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଇଥିଲେ ।ଋଣଗ୍ରସ୍ତ ହୋଇ ପୂରା ପରିବାର ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତରାତିରେ ଏହି ଘଟଣା ଘଟିଛି । ପଞ୍ଚକୁଲାର ସେକ୍ଟର-୨୭ ଅଞ୍ଚଳରେ ଗାଡି ପାର୍କ କରି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ । ସ୍ଥାନୀୟ ଲୋକମାନେ ଏହି ପାର୍କିଂ ଗାଡିକୁ ଦେଖି ସନ୍ଦେହ ଉପୁଜିବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରର ଡୋର୍ ଭାଙ୍ଗିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ହସ୍ପିଟାଲରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପଞ୍ଚକୁଲାର ଏକ ଘରୋଇ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ୭ ଜଣଙ୍କ ମୃତଦେହକୁ ପଠାଯାଇଛି।
