ଶ୍ରୀଜଗନ୍ନାଥଙ୍କ ଜମିର ହେବ ସେଟଲମେଣ୍ଟ
ପୁରୀ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ବହୁ ବର୍ଷ ଧରି ବସବାସ କରୁଥିବା ଲୋକଙ୍କୁ ସରକାର ରିହାତି ବା ସୁଲଭ ଦରରେ ଜମି ପ୍ରଦାନ କରିବାକୁ ନିଷ୍ପତ୍ତି ନେଉଛନ୍ତି । ୨ ବର୍ଷ ଭିତରେ ସବୁ ଜମିର ସେଟେଲମେଣ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶା କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ନୂତନ ‘ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମାବଳୀ, ୨୦୨୬’ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତର ଯୋଗ୍ୟତା ଏବଂ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ନୂତନ ନିୟମ ଅନୁସାରେ ୩ଟି ପ୍ରମୁଖ ବର୍ଗର ହିତାଧିକାରୀଙ୍କୁ ବନ୍ଦୋବସ୍ତ ପାଇଁ ବିଚାରକୁ ନିଆଯିବ । ଅଣ ସେବାୟତ ତଥା ସାଧାରଣ ପରିବାର ଯଦି ଜଗନ୍ନାଥଙ୍କ ଜମିରେ ୩୦ ବର୍ଷରୁ ଅଧିକ ସମୟ ଧରି ରହୁଥିବେ ତେବେ ବେଞ୍ଚ ମାର୍କ ଭେଲ୍ୟୁର ୧୦ ପ୍ରତିଶତ ହିସାବରେ ଜମି ଦିଆଯିବ ।
୨୦ରୁ ୩୦ ବର୍ଷ ମଧ୍ୟରେ ରହୁଥିଲେ ୧୫ ପ୍ରତିଶତ ଓ ୧୨ରୁ ୨୦ ବର୍ଷ ଧରି ରହିଥିଲେ ବେଞ୍ଚ ମାର୍କ ଭେଲ୍ୟୁର ୨୫ ପ୍ରତିଶତ ମୂଲ୍ୟରେ ଜମି ପ୍ରଦାନ କରାଯିବ ।ମହାପ୍ରଭୁଙ୍କ ସେବାରେ ନିୟୋଜିତ ଥିବା ସେବାୟତ ପରିବାର ଯଦି ଶ୍ରୀଜଗନ୍ନାଥଙ୍କ ଜମିରେ ଘର କରି ରହୁଥିବେ ତେବେ ସେମାନଙ୍କ ପାଇଁ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ୩୦ ବର୍ଷରୁ ଅଧିକ ସମୟ ପାଇଁ ୫ ପ୍ରତିଶତ, ୨୦ରୁ ୩୦ ବର୍ଷ ଧରି ରହୁଥିଲେ ବେଞ୍ଚମାର୍କ ଭେଲ୍ୟୁର ୭.୫ ପ୍ରତିଶତ ଓ ୧୨ରୁ ୨୦ ବର୍ଷ ଧରି ରହୁଥିଲେ ୧୨.୫ ପ୍ରତିଶତ ଦେବାକୁ ପଡିବ। ସେହିପରି ସେବାୟତ ନିଯୋଗ ପାଇଁ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ସରକାର ଏକ ସ୍ୱଚ୍ଛ ମୂଲ୍ୟାଙ୍କନ ବ୍ୟବସ୍ଥା ଲାଗୁ କରିଛନ୍ତି ।
