ଅନ୍ତରୀଣ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ଼ ବିନୟତୋଷ ମିଶ୍ର
ନୂଆ ଡିଜିପି ନିଯୁକ୍ତି ହେବା ପର୍ଯ୍ୟନ୍ତ ଅନ୍ତରୀଣ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ଼ ତଥା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଆଜି କଟକ ସ୍ଥିତ ଡିଜିପି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବିନୟତୋଷ ମିଶ୍ରଙ୍କୁ ସ୍ବାଗତ କରାଯାଇ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ପରେ ସବୁ ଆଇପିଏସ଼୍ ଅଫିସର ଓ ମୁଖ୍ୟାଳୟର ଅଧିକାରୀଙ୍କ ସହ କରମର୍ଦ୍ଦନ କରି କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ।ସେଠାରେ ଯୋଗେଶ ବାହାଦୂର ଖୁରାନିଆ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ। ପରେ ଯୋଗେଶ ବାହାଦୂର ଖୁରାନିଆଙ୍କୁ ବିଦାୟକାଳୀନ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ୱାଇ.ବି ଖୁରାନିଆ କହିଛନ୍ତି, ମୋ ଦୁଇ ବର୍ଷର କାର୍ଯ୍ୟକାଳରେ ମାଓ ମୁକ୍ତ, ନିଶା ମୁକ୍ତ, ସାଇବର ଅପରାଧ ରୋକିବା ଭଳି କାମରେ ଓଡିଶାର ପୋଲିସ ଭଲ ସଫଳତା ପାଇଛୁ। ଓଡିଶାରେ 36 ବର୍ଷ ମଧ୍ଯରେ ସମସ୍ତଙ୍କ ଭଲ ପାଇବା ପାଇଛି। ସେହିପରି ବିନୟତୋଷ ମିଶ୍ର କହିଥିଲେ, ନାରୀ ସୁରକ୍ଷା, ନିଶା ଚାଲାଣ ରୋକିବା, ସଂଗଠିତ ଅପରାଧ ରୋକିବା, ସାଇବର ଅପରାଧ ହ୍ରାସ କରିବା ଓ ସର୍ବପରି ଲୋକଙ୍କ ସେବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି।
