ଗୁପ୍ତଧନ ପାଇଁ ନାବାଳକକୁ ବଳି !

ଅନ୍ଧବିଶ୍ଵାସର ଅନ୍ଧଗଳିରେ ପାଦ ଦେଇ ରାକ୍ଷସ ହେଲା ମଣିଷ , ନେଲା ନିରୀହ ଜୀବନ

ଆଜି ବି ମଣିଷ ମନରେ ଭରି ରହିଛି କୁସଂସ୍କାର । ଅନ୍ଧବିଶ୍ଵାସର ଅନ୍ଧଗଳିରେ ପାଦ ଦେଇ ରାକ୍ଷସ ପାଲଟିଛି ମଣିଷ ପକାଇଛି ରକ୍ତର ଛିଟା । ନେଇଛି ନିରୀହ ନାବାଳକର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଆଠମଲ୍ଲିକ ଅଞ୍ଚଳରେ । ଜଣେ ନାବାଳକକୁ ବଳି ପକାଯାଇଥିବା ହୋଇଛି ସାଂଘାତିକ ଅଭିଯୋଗ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ସ୍ୱର୍ଗତ ଭକ୍ତ ବିଶ୍ୱାଳଙ୍କ ପୁଅ ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା । ଦେହ ସବୁବେଳେ ଖରାପ ହେଉଥିବାରୁ ସଞ୍ଜିତକୁ ତାଙ୍କ ମାଆ ବାସନ୍ତୀ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ । ଯେହେତୁ ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରନ୍ତି ତେଣୁ ତାଙ୍କ ପାଖକୁ ନେଇଥିଲେ ବାସନ୍ତୀ । ମା’ଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ସେ କହିଥିଲେ ।

ପରେ ମଙ୍ଗଳା କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ । ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ । ହେଲେ ସକାଳୁ ଉଠି ପୁଅକୁ ପାଇନଥିଲେ ବାସନ୍ତୀ ଏନେଇ କିଆକଟା ଥାନାରେ ଅଭିଯୋଗ ହୋଇଥିଲା । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା , ହେଲେ ୨୩ତାରିଖରୁ ନିଖୋଜ ହୋଇଥିଲେ ମଧ୍ୟ ୫ଦିନ ହେବ ସଞ୍ଜିତଙ୍କ ଖୋଜ ଖବର ପାଇନଥିଲା ପୋଲିସ । ୨୮ ତାରିଖ ଦିନ ଜଙ୍ଗଲରୁ ମିଲିଲା ସଞ୍ଜିତଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ଏଭଳି ଜଘନ୍ୟ ବିଭଶ୍ଚ ଘଟଣାକୁ ସ୍ଥାନିୟରେ ବଳି ଦିଆଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ ଭିଆଇଥିବା ଲୋକମାନେ ଅଭିଯୋଗ କରି ରାସ୍ତାରୋକ କରିଥିଲେ । ସେପଟେ ଅଭିଯୋଗ ଆଧାରରେ ୬ଜଣଙ୍କୁ ଅଟକ ରଖିଛି ପୋଲିସ । ସେପଟେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତା ନିଆଯିବା ସହ SCB ରେ ଶବ ବ୍ୟବଚ୍ଛେଦ କରାଯାଇଛି । ଦୋଷିକୁ ତୁରନ୍ତ ଦଣ୍ଡ ଦିଆଯିବା ନେଇ ଦାବି କରିଛନ୍ତି ପରିବାର ଲୋକେ ।