ବାତ୍ୟା ମୁକାବିଲାରେ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ

ଦିନକ ପରେ ଆସିବ ବାତ୍ୟା କ୍ଷୟକ୍ଷତି ରିପୋର୍ଟ : ମୁଖ୍ୟମନ୍ତ୍ରୀ

ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଶୂନ୍ୟ ଜୀବନହାନି ବା ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିଲେ । ବାତ୍ୟା ପରିସ୍ଥିତିର ସମୀକ୍ଷା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ବାତ୍ୟା ମୁକାବିଲା ପାଇଁ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ପ୍ରସ୍ତୁତି କରାଯାଇଥିଲା । ଗତ ୨୪ ତାରିଖରେ ମଧ୍ୟ ବାତ୍ୟା ପରିସ୍ଥିତିର ସମୀକ୍ଷା କରାଯାଇଥିଲା । ରାଜ୍ୟ ସରକାର, ଏସ୍‌ଆର୍‌ସି ଓ ବିଭିନ୍ନ ବିଭାଗର ସଚିବମାନେ ସ୍ଥିତି ଉପରେ ନଜର ରଖିଥିଲେ । ଜିଲ୍ଲା ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ସତର୍କ ରହି ବାତ୍ୟାର ମୁକାବିଲା କରିଥିଲା । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏପର୍ଯ୍ୟନ୍ତ ବାତ୍ୟା ଯୋଗୁଁ କୌଣସି ମଣିଷ ଜୀବନ ହାନିର ଖବର ଆସିନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ବାତ୍ୟା ମୁକାବିଲା ପାଇଁ ୭ ଜଣ ଆଇଏଏସ୍‌ ଅଧିକାରୀ ଓ ୮ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା । ଆସନ୍ତା ଗୋଟିଏ ଦିନ ପର୍ଯ୍ୟନ୍ତ ମନ୍ତ୍ରୀମାନେ ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାରେ ରହି ସ୍ଥିତି ସମୀକ୍ଷା କରିବେ । ଏହା ପରେ ସେମାନେ ଭୁବନେଶ୍ୱର ଫେରିବେ । ବାତ୍ୟାର କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ବାତ୍ୟା ମୁକାବିଲା ପାଇଁ ୩୧୩ଟି ରେସ୍‌ପନ୍ସ ଟିମ୍‌, ୬୦ଟି ଓଡ୍ରାଫ୍‌ ଟିମ୍‌ ଓ ୨୪୪ଟି ଅଗ୍ନିଶମ ଟିମ୍‌ ମୁତୟନ କରାଯାଇଥିଲା । ଏଥିସହ ୨୦୩୭ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିଲା । ୮ଟି ଜିଲ୍ଲାର ୬୩୪ଟି ସ୍ଥାନରୁ ୪୩ ହଜାର ୮୨୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ଆକଳନ ଉପରେ ପ୍ରଶାସନ ନଜର ରଖିଛି । ଆଜିର ଏହି ସମୀକ୍ଷାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ୍ ପ୍ରଭାକର ପାଟିଲ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତି ରହିଥିଲେ ।

Leave a Reply

Your email address will not be published. Required fields are marked *