୧୭ ତାରିଖ ଯାଏ ଲାଗି ରହିବ ବର୍ଷା
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଆଗାମୀ ୨ ଦିନ ଭିତରେ ଦକ୍ଷିଣ ଓଡିଶା ଓ ତତସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।ପ୍ରଭାବରେ ୧୭ ତାରିଖ ଯାଏ ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କୋରାପୁଟ, ମାଲାକନଗିରି, ନବରଙ୍ଗପୁର,ରାୟଗଡା ,ଗଂଜାମ ,ଗଜପତି, କନ୍ଧମାଳ, ନୟାଗଡ ଓ କଳାହାଣ୍ଡି ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। କାଲି ସାରା ଓଡିଶା ସମେତ ଦକ୍ଷିଣ ଓ ଉତ୍ତର ଓଡିଶା କିଛି ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ରହିଛି । ନବରଙ୍ଗପୁର , ରାୟଗଡା, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଆଦି ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ବିଭାଗ ।
