ସୂରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ଏକ ଭୟଙ୍କର ଅଘଟଣ

ପୋଲିସ ଅଧିକାରୀଙ୍କ ଉପରେ ଖସିପଡ଼ିଲା ଦୋଳି

ହରିୟାଣାର ସୂରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ଏକ ଭୟଙ୍କର ଅଘଟଣ ଘଟିଛି। ମେଳାରେ ହଠାତ୍‌ ଦୋଳି ଛିଡ଼ିପଡ଼ିବାରୁ ସେଠାରେ ନିୟୋଜିତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି।ଶନିବାର ଏହି ଘଟଣା ଘଟିଛି। ଏପରିକି ଏହି ମେଳାରେ ଗୋଟିଏ ଘଣ୍ଟାରେ ଦୁଇଟି ଅଘଟଣ ଘଟିଛି। ଏକ ଗେଟ୍‌ ଭୁଶୁଡ଼ି ପଡ଼ିଥିବାବେଳେ ଦୋଳି ମଧ୍ୟ ଛିଡ଼ିଯାଇଛି। ଦୋଳିରେ ପ୍ରାୟ ୨୦ ଜଣ ଲୋକ ବସିଥିଲେ। ସନ୍ଧ୍ୟାରେ ଦୋଳିଟି ଖସିପଡ଼ିଥିଲା।ପୋଲିସ କହିଛି, ଇନ୍ସପେକ୍ଟର ଜଗଦୀଶ ପ୍ରସାଦଙ୍କ ସମେତ ଅନ୍ୟମାନେ ଲୋକଙ୍କୁ ଉଦ୍ଧାର କରିବାକୁ ଦୌଡ଼ିବା ସମୟରେ ଦୋଳିର ଏକ ଭାରୀ ଅଂଶ ତାଙ୍କ ଉପରେ ପଡ଼ିବାରୁ ତାଙ୍କୁ ଚାପି ଦେଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଫରିଦାବାଦ ପୋଲିସର ଜଣେ ମୁଖପାତ୍ର କହିଛନ୍ତି, ଜଗଦୀଶ ଦୋଳି ଥିବା ଜୋନର ଡ୍ୟୁଟି ଇନ୍‌ଚାର୍ଜ ଥିଲେ।