ଇସ୍ରୋ ବୈଜ୍ଞାନିକଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୧୮ତମ କାର୍ଯ୍ୟକ୍ରମ । ଏହି ମାସର ଶେଷ ରବିବାର ସାଧାରଣତନ୍ତ୍ର ଦିବସ ପଡୁଥିବାର ଆଜି ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟ । ଚଳିତ ବର୍ଷର ଗଣତନ୍ତ୍ର ଦିବସ ବେଶ୍ ସ୍ୱତନ୍ତ୍ର ବୋଲି କହିଛନ୍ତି ମୋଦି । କାରଣ ଚଳିତ ବର୍ଷ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଦେଶ । ଚଳିତ ବର୍ଷ ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ହେବାକୁ ଯାଉଛି । ୨୫ ଜାନୁଆରୀରେ ନିର୍ବାଚନ ଆୟୋଗ ଗଠନ ହୋଇଥିଲା । ଯେଉଁଥିପାଇଁ ଏହି ଦିନଟିକୁ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରାଯାଉଛି । ଦେଶରେ ଯେତେବେଳେ ୧୯୫୧-୫୨ ମସିହାରେ ପ୍ରଥମ ଥର ନିର୍ବାଚନ ହୋଇଥିଲା, ସେତେବେଳେ କିଛି ଲୋକଙ୍କ ମନରେ ଆଶଙ୍କା ଥିଲା ଯେ, କଣ ଦେଶର ଲୋକତନ୍ତ୍ର ଜୀବିତ ରହିବ ? ଆମ ଦେଶର ଲୋକତନ୍ତ୍ର ସବୁ ଆଶଙ୍କାକୁ ଭୁଲ ସାବ୍ୟସ୍ତ କରି ଗଣତନ୍ତ୍ରର ଜନନୀର ପରିଚୟ ହାସଲ କରିଛି । ଗତ ଦଶନ୍ଧୀରେ ଦେଶର ଗଣତନ୍ତ୍ର ସଶକ୍ତ ହୋଇଛି । ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରୟାଗରାଜ ମହାକୁମ୍ଭ ମେଳାକୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, “ପ୍ରୟାଗରାଜରେ ମହାକୁମ୍ଭ ମେଳାର ଆରମ୍ଭ ହୋଇଯାଇଛି । ସେଠାରେ ଜନ ସମୁଦ୍ର, ଅକଳ୍ପନୀୟ ଦୃଶ୍ୟ ଓ ସମାନତା- ସମନ୍ବୟର ଅସାଧାରଣ ମିଳନ ଦେଖିବାକୁ ମିଳିଛି । ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରାରେ କେଉଁଠି ବି ଭେଦଭାବ, ଜାତିବାଦ ଦେଖିବାକୁ ମିଳେନାହିଁ । ଯେଉଁଥିପାଇଁ କୁମ୍ଭ ଏକତାର ମହାକୁମ୍ଭ । କୁମ୍ଭ ମେଳାର ଆୟୋଜନ ଆମକୁ ଏହା ଦର୍ଶାଇ ଥାଏ ଯେ, କିଭଳି ଆମ ପରମ୍ପରା ସମଗ୍ର ଭାରତକୁ ଏକସୁତ୍ରରେ ବାନ୍ଧି ରଖେ । ଆଉମଧ୍ୟ ୨୦୨୫ ଆରମ୍ଭରୁ ଭାରତ ଅନ୍ତରୀକ୍ଷ କ୍ଷେତ୍ରରେ ଅନେକ ଐତିହାସିକ ସଫଳତା ହାସଲ କରିଛି । ଭାରତର ସ୍ପେଶ-ଟେକ୍ ଷ୍ଟାର୍ଟଅପ ବାଙ୍ଗାଲୁରୁର ପିକ୍ସେଲ ଭାରତର ପ୍ରଥମ ନିଜ ସାଟେଲାଇଟ କନଷ୍ଟେଲେସନ- ଫାୟାରଫ୍ଲାଏ ସଫଳତା ଭାବେ ଲଞ୍ଚ କରିଥିଲା । କିଛି ଦିନ ପୂର୍ବେ ଆମ ବୈଜ୍ଞାନିକମାନେ ସାଟଲାଇଟର ସ୍ପେଶ ଡକିଂ କରାଇଛନ୍ତି । ଏହି ଟେକ୍ନିକ ଅନ୍ତରୀକ୍ଷରେ ସ୍ପେଶ ଷ୍ଟେସନ ପର୍ୟ୍ୟନ୍ତ ସପ୍ଲାଏ ପଠାଇବା ପାଇଁ ଓ କ୍ରିଉ ମିଶନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।
