ବର୍ଷା ଓ ବନ୍ୟା ଅପେକ୍ଷା ଭୂସ୍ଖଳନକୁ ଅଧିକ ଗୁରୁତ୍ୱ

ବିପଦପୂର୍ଣ୍ଣ ଅଞ୍ଚଳରୁ ସ୍ଥାନାନ୍ତର ହେବେ ଲୋକେ

ଓଡ଼ିଶା ପ୍ରତି ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ଓ ଏହାର ସମ୍ଭାବ୍ୟ ପ୍ରଭାବ ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ କହିବା ଅନୁସାରେ, ଭାରତୀୟ ପାଣିପାଗ ବିଭାଗ ବା IMDର ଆକଳନକୁ ଆଧାର କରି ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ କରାଯାଇଛି। ସମ୍ଭାବ୍ୟ ବର୍ଷା, ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନିଆଯାଉଛି।

ସମ୍ଭାବ୍ୟ ବାତ୍ୟା ମୁକାବିଲାରେ ଏଥର ଭୂସ୍ଖଳନ ଆଶଙ୍କାକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବର୍ଷା ଓ ବନ୍ୟା ଅପେକ୍ଷା ଭୂସ୍ଖଳନ ସମସ୍ୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ପାହାଡ଼ିଆ ଅଞ୍ଚଳରେ ଭାରୀ ବର୍ଷା ହେଲେ ମାଟି ଅତଡ଼ା ଖସିବାର ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ଭୂସ୍ଖଳନପ୍ରବଣ ଅଞ୍ଚଳରେ ଆଗୁଆ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ।ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନଗୁଡ଼ିକରେ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ଆବଶ୍ୟକ ପଡ଼ିଲେ ସେହି ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ବିଶେଷକରି ପାହାଡ଼ ତଳେ, ଢାଲୁ ଅଞ୍ଚଳ ଏବଂ ମାଟି ଅତଡ଼ା ଖସିବା ଆଶଙ୍କା ଥିବା ସ୍ଥାନରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନିଆଯିବ। ବିପର୍ଯ୍ୟୟ ସମୟରେ ଧନଜୀବନ କ୍ଷୟକ୍ଷତି ରୋକିବା ପାଇଁ ଏଭଳି ପଦକ୍ଷେପ ଜରୁରୀ ବୋଲି ମନେ କରାଯାଉଛି।

କେବଳ ODRAF ଓ NDRF ନୁହେଁ, ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ କୋଷ୍ଟଗାର୍ଡ ଏବଂ ଭାରତୀୟ ନୌସେନାର ହେଲିକପ୍ଟର ମଧ୍ୟ ସଜାଗ ରହିବ। ଜରୁରୀ ପରିସ୍ଥିତିରେ ଆକାଶମାର୍ଗରୁ ଉଦ୍ଧାର ଓ ସହାୟତା ପହଞ୍ଚାଇବା ପାଇଁ ଏହି ବ୍ୟବସ୍ଥା କରାଯାଉଛି। ବିଶେଷକରି ଭୂସ୍ଖଳନ କିମ୍ବା ଅନ୍ୟ ବିପର୍ଯ୍ୟୟ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେଲେ ହେଲିକପ୍ଟର ସହାୟତା ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

Leave a Reply

Your email address will not be published. Required fields are marked *